୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି ‘ବୟନିକା’ନାମରେ ସୁଖ୍ୟାତି ଅର୍ଜନ କରିଛି । ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ‘ବୟନ ଭବନ’ ପ୍ରାଙ୍ଗଣରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ବୟନିକାର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସମେତ ନିର୍ଦ୍ଦେଶାଳୟର ପଦାଧିକାରୀମାନେ ଉଦ୍ଘାଟନ କରିଛନ୍ତି । ଉପରୋକ୍ତ ସମାରୋହ ବ୍ୟତୀତ ବୟନିକାର ସମସ୍ତ ବିକ୍ରୟ ଶାଖାରେ ଏହି ସମାରୋହକୁ ପାଳନ କରାଯାଇଛି, ଯାହାକୁ କି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ତହସିଲଦାରମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ।
ବୟନିକା ୨୦୨୧-୨୨ ବର୍ଷରେ ନିଜର ପ୍ରତିଷ୍ଠିତ ବିକ୍ରୟ ଶାଖା ଏବଂ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ୧୨୮.୮୫ କୋଟି ଟଙ୍କାର ବ୍ୟବସାୟ ହାସଲ କରିଛି । ୨୦୨୨-୨୩ ବର୍ଷରେ ମୋଟ ୧୬୩.୯୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ୧୨୮.୮୫ କୋଟିର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ମାଇଲ୍ ଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ପାଇଁ ବଦ୍ଧପରିକର ହେବା ସଙ୍ଗେ ସଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବା ପାଇଁ ଚେଷ୍ଟିତ । ବୟନିକା ଏହାର ୬୬ତମ ପ୍ରତିଷ୍ଠା ଦିବସରେ, ଓଡ଼ିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।© 2023 Odisha Taza News.