No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ବରଗଡ :- ବାଲିଗୁଡ଼ା :- ମୃତ୍ୟୁ କେତେବେଳେ କେମିତି ଆସିବ ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ ।ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା କୁଟିବାଲି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋଜି ଖାଇବାକୁ ଯିବାବେଳେ ବାଟରେ ଜଗିଥିଲା ଯମ । କୋଟଗଡ଼ ଥାନା ଓରା ଗ୍ରାମପଞ୍ଚାୟତର ଆଟାଲି ଗ୍ରାମରୁ ୬୦ରୁ ଉର୍ଦ୍ଧ୍ବ ଲୋକ ଏକ ପିକ୍ଅପ୍ ଭ୍ୟାନ୍ ରେ ମଦାଙ୍ଗି ଗ୍ରାମକୁ ଭୋଜି ଖାଇବାକୁ ଆସୁଥିବା ବେଳେ କୁଟିବାଲି ଘାଟିରେ ପିକ୍ଅପ୍ ଭ୍ୟାନ୍ ର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଭ୍ୟାନ୍ ଟି ଓଲଟି ପଡିଥିଲା ।

ଭ୍ୟାନ୍ ରେ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହତମାନଙ୍କୁ ପ୍ରଥମେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତିନିଜଣ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଅଟାଲି ଗ୍ରାମର ଜଣେ ୧୯ ବର୍ଷୀୟା ଯୁବତୀ ଅନାମାୟୀ ଗୁଣ୍ଡ୍ରାମାଝୀ, ୫୦ ବର୍ଷୀୟା ମହିଳା ମେରାଗୁଡାଲୁ ଗୁଣ୍ଡ୍ରାମାଝୀ ଓ ୩୫ ବର୍ଷୀୟା ମହିଳା ଜସ୍ମିତା ଗୁଣ୍ଡ୍ରାମାଝୀ ହୋଇଥିବା ଜଣାପଡ଼ିଛି ।

ସେପଟେ ଡାକ୍ତରଖାନାରେ ତିନିଜଣଙ୍କୁ ମୃତ ଘୋଷଣା କରାଯିବା ସହ ୩୪ ଜଣ ଗୁରୁତରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ଆହତମାନଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବିଷୟ କୋଟଗଡ଼ ମେଡ଼ିକାଲ୍ ଅଫିସର ଡାକ୍ତର ଦେବନାଥ ଦେ ପ୍ରକାଶ କରିଛନ୍ତି l ଅନ୍ୟପଟେ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି । ଭ୍ୟାନଟିର ଟାୟାର୍ ଫାଟିଯାଇଥିବା କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଘଟଣାର ଅଧିକ ତଦନ୍ତ କୋଟଗଡ଼ ଥାନା ଅଧିକାରୀ ଧିରଜ ଲେଙ୍କା ଆରମ୍ଭ କରିଛନ୍ତି ।

No Result
View All Result