No Result
View All Result
ଭୁବନେଶ୍ଵର :- ଆଜି ଲୋକସେବା ଭବନଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଗିରି ବ୍ଲକର ରାୟବିଧାର ପଞ୍ଚାୟତ ସ୍ଥିତ ଭଣ୍ଢାରିକୁଦା ଠାରେ ଥିବା ୫୯ ଗୋଟି ଗ୍ରାମକୁ ଯୋଗାଇବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ଉପରେ ଶ୍ରୀ ଦାସ ବର୍ମା ଗୁରୁତ୍ବ ଆରୋପ କରିଛନ୍ତି । ସେହିପରି ବ୍ରହ୍ମଗିରି ବ୍ଲକର ୬୯ ଗୋଟି ଗ୍ରାମ, କୃଷ୍ଣ ପ୍ରସାଦ ବ୍ଲକର ୩୦ ଗୋଟି ଗ୍ରାମ, ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣ ପ୍ରସାଦ ବ୍ଲକର ୯୨ ଗ୍ରାମକୁ ରାଜ୍ୟ ସରକାର ମଞ୍ଜୁର କରିଥିବା ଭୂତଳ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଅଧିକ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଶ୍ରୀ ଦାସ ବର୍ମା ଗୁରୁତ୍ବ ଦେଇଛନ୍ତି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ୭ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ୯୨ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଉପରେ ଶ୍ରୀ ଦାସ ବର୍ମା ଗୁରୁତ୍ବ ଦେଇଛନ୍ତି । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ, ବି. ପରମେଶ୍ବର ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳର ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result