No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ମୁମ୍ବାଇ / ନୂଆଦିଲ୍ଲୀ / ହାଇଦ୍ରାବାଦ / ବିଶାଖାପାଟଣା / କୋଲକାତା / ଭୁବନେଶ୍ୱର :- ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସ୍ୱର୍ଯ୍ୟକ୍ଷେତ୍ର ଦାତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ମୁମ୍ବାଇ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡଃ ବିପିନ୍ ମିଶ୍ର ବିଓସର ଭାରତ ମଣ୍ଡଳର ସଭାପତି ଦାୟିତ୍ୱ ବହନ କରିଛନ୍ତି । ବିଶାଖାପାଟଣା ସ୍ଥିତ ଉତ୍କଳ ସାଂସ୍କୃତିକ ସମାଜର ସଭାପତି ତଥା ସେଠାକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଜେ.କେ. ନାୟକ ବିଓସର ଭାରତ ଶାଖାର ଉପସଭାପତି ମନୋନୀତ ହୋଇଛନ୍ତି । କୋଲକାତାର ଉତ୍କଳୀୟ ମିଳିତ ମଞ୍ଚର ସଭାପତି ରବି ମହାପାତ୍ର ବିଓସର ଭାରତ ମଣ୍ଡଳର ଅନ୍ୟତମ ଉପସଭାପତି ପଦଭାର ଗ୍ରହଣ କରିଛନ୍ତି ।
ହାଇଦ୍ରାବାଦରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ଏବଂ ସେଠାକାର ବାଞ୍ଜରା ହୀଲ୍ସଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା କଳିଙ୍ଗ ସାଂସ୍କୃତିକ ଟ୍ରଷ୍ଟର ସାଧାରଣ ସମ୍ପାଦକ ବିଜୟ କୁମାର ସେନାପତି ବିଓସର ଭାରତୀୟ ମଣ୍ଡଳର ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ବିଓସର ଭାରତୀୟ ଶାଖାର ଦୁଇ ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଫୋରମର ଯୁଗ୍ମ ସମ୍ପାଦକ ନିବେଦିତା ଗିରି ଏବଂ ଭୁବନେଶ୍ୱର ସ୍ଥିତ କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଲିଲି ଜେନାମଣି ମନୋନୀତ ହୋଇଛନ୍ତି ।
ବିଶ୍ୱ ଓଡ଼ିଶା ସମାଜର ଭାରତୀୟ ମଣ୍ଡଳର ନବନିଯୁକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ବିଓସର ଆର୍ନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସାରା ବିଶ୍ୱର ଓଡ଼ିଆ ସମ୍ପ୍ରଦାୟକୁ ଗୋଟିଏ ମଞ୍ଚରେ ଏକଜୁଟ୍ କରିବା, ମାତୃପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା ପାଇଁ ବ୍ରତୀ ହେବା ଏବଂ ୨୦୩୬ ମସିହାରେ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି କାଳରେ ପୁନର୍ବାର ସ୍ୱର୍ଣ୍ଣାଭ ଓଡ଼ିଶାକୁ ଗଢ଼ିତୋଳିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଆଦି ବିଓସର ମୁଖ୍ୟ ଲକ୍ଷ୍ୟ ଗୁଡ଼ିକୁ କାର୍ଯ୍ୟକାରୀ କରିବା ତଥା ବିଓସକୁ ପ୍ରତ୍ୟେକ ଓଡ଼ିଆଙ୍କର ଘରେ ଘରେ ପହୁଁଚାଇବା ପାଇଁ ଭାରତୀୟ ମଣ୍ଡଳ ସମର୍ପିତ ପ୍ରୟାସ କରିବ ବୋଲି ଶ୍ରୀ ଦ୍ୱିବେଦୀ ଦୃଢ଼ ଆଶା ପୋଷଣ କରିଛନ୍ତି ।

No Result
View All Result