No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ହେଉଛି କୃଷି ଭିତିକ ରାଜ୍ୟ । ପୌରାଣିକ କିମ୍ବା ଐତିହାସିକ ମତବାଦରେ ପ୍ରତ୍ଯକ୍ଷ କିମ୍ବା ପରୋକ୍ଷରେ ହେଉ ପ୍ରତ୍ୟେକ ପର୍ବପର୍ବାଣି କୃଷି ଉପରେ ଆଧାରିତ ହୋଇଥିବା ନଜରରେ ଆସେ । ଯେହେତୁ ଏହିଦିନ ହଳ ମୂଷଳ ଧାରି ମହାପ୍ରଭୁ ଶ୍ରୀ ବଳଦେବ ଜନ୍ମ ଗ୍ରହଣ କରିଥିଲେ , ତେଣୁ ଓଡ଼ିଶାର ଚାଷୀ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଜ୍ଯେଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ , ଶ୍ରାବଣ ପୂର୍ଣ୍ଣିମା ସେହିପରି ଶ୍ରୀବଳଭଦ୍ରଙ୍କ ଜନ୍ମଦିନ । ଏହି ଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ଗଢ଼ାଯାଇ ସ୍ବତନ୍ତ୍ର ରୀତିନୀତିରେ ଜନ୍ମୋତ୍ସବ ପାଳନ କରାଯାଏ । ସେହି ସମୟରେ ଶ୍ରୀସୁଦର୍ଶନ ସେଠାରେ ଉପସ୍ଥିତ ରହନ୍ତି । ଶ୍ରୀବଳଭଦ୍ର କୃଷିର ଦେବତା । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ । ସମ୍ଭବତଃ ସେଥିପାଇଁ ଶ୍ରୀମନ୍ଦିର ବାହାରେ ଏବଂ ମାଟିର ମୂର୍ତ୍ତି ମାଧ୍ୟମରେ ଏହି ଜନ୍ମଦିନ ପାଳିତ ହୁଏ ।

ଶ୍ରୀମଦ୍ ଭାଗବତରେ ଲେଖାଅଛି :-
ସିଂହ ପୂର୍ଣ୍ଣିମୀ ଦିନ ସାର – ରୋହିଣୀ ପ୍ରସବେ କୁମର ।।
ଧବଳ ଜ୍ଯୋତି ରୂପ ପୁଣି – ଶିରେ ଶୋହ ଇ ସପ୍ତଫେଣୀ ।।
ଅପୁଆ ଘରେ ପୁଅ ଜାତ – ଆନନ୍ଦ ହୋଏ ନନ୍ଦ ଚିତ୍ତ ।।
ପ୍ରାଚୀନ ଓଡ଼ିଆ ଗଦ୍ୟରେ ରଚିତ “ଶ୍ରୀବଳଭଦ୍ର ଜନ୍ମକଥା”ରେ ବର୍ଣ୍ଣନା ଅଛିଯେ , ଦେବର୍ଷି ନାରଦଙ୍କ ପ୍ରଶ୍ନର ଉତ୍ତରରେ ପିତାମହ ବ୍ରହ୍ମା କହିଛନ୍ତି – ଶ୍ରାବଣ ପୂର୍ଣ୍ଣିମା ବୁଧବାର , ଶ୍ରବଣା ନକ୍ଷତ୍ରରେ ଶ୍ରୀବଳଭଦ୍ର ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ସେ କୋଟି ସିଂହଙ୍କ ପରି ପରାକ୍ରମୀ ଓ କୋଟି ସୂର୍ଯ୍ୟଙ୍କ ପରି ତେଜସ୍ବୀ ଥିଲେ । ତେଣୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀୟୁ ମନ୍ଦିର ସମେତ ସାରା ଓଡ଼ିଶାରେ ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଏ । ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ । ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ ।
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହିତ , ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥିବାର ପରମ୍ପରା ରହିଛି । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ ।
ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ ।

ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।
ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ । ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ । ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ । ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧାମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସହ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ ।
ଏହି ରକ୍ଷା ବନ୍ଧନ ସବୁଜ ବିପ୍ଳବର ସୂତ୍ରଧର ସାଜିଛି । ବାୟୁମଣ୍ଡଳରେ ପ୍ରଦୂଷଣ ଏବଂ ଅମ୍ଳଜାନର ଘୋର ଅଭାବକୁ ନଜରରେ ରଖିଏବେ ଭାରତୀୟ ପରିବେଶ ପ୍ରେମୀ ମାନେ ରକ୍ଷା ବନ୍ଧନ ଦିନ ନିଜ ଆଖପାଖରେ ଥିବା ବୃକ୍ଷରେ ରାକ୍ଷୀ ବାନ୍ଧି ପୂଜା କରିଆସୁଛନ୍ତି । ଭାରତୀୟଙ୍କର ଏହି ବୃକ୍ଷ ପୂଜନକୁ ଅନେକ ରାଷ୍ଟ୍ର ସମ୍ମାନ ଦେଇ ସେମାନେ ମଧ୍ୟ ବୃକ୍ଷପୂଜନ ଆରମ୍ଭ କଲେଣି । ତେବେ ଆସନ୍ତୁ ଆମେ ବିପଦରୁ ରକ୍ଷା ନିମନ୍ତେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଜୀବନରେ ବଞ୍ଚିବା ପାଇଁ ବୃକ୍ଷରୋପଣ ସହିତ ବୃକ୍ଷଙ୍କ ସୁରକ୍ଷା ନିମନ୍ତେ ବୃକ୍ଷରେ ରାକ୍ଷୀ ବାନ୍ଧିବା । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା । ବନ୍ଦେ ଉତ୍କଳ ଜନନୀ (ରିପୋର୍ଟ/ ବିଭୁ ପ୍ରସାଦ ନାୟକ)
No Result
View All Result