No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ରବିବାର) ପଦ୍ମପୁର :- ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଲୋକମାନେ ସଚେତନତା ଅଭାବରୁ ଅନେକ ଜନହିତକାରି ଯୋଜନାର ଲାଭ ଉଠେଇ ପାରୁନାହାନ୍ତି । ଏହିଭଳି ଲୋକଙ୍କ ପାଇଁ ଆଶାର ଆଲୁଅ ପାଲଟିଛନ୍ତି ପାଇକମାଲ ବ୍ଲକ ଉପାନ୍ତ ଅଞ୍ଚଳ ଟେମରି ଗ୍ରାମର ମହିଳା ସ୍ୱେଚ୍ଛାସେବୀ ତଥା ସାମାଜିକ କର୍ମୀ ଦୀପା ବାରିକ ତେଣୁ ତାଙ୍କୁ “ଅନ୍ଧାରୀ ମୂଳକର ଆଲୋକ” ବୋଲି ସମସ୍ତେ କହିଥାନ୍ତି । ଏହିକ୍ରମରେ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗୀନ୍ଦ୍ରନାଥପୁର ଗ୍ରାମର ଏକ ଅସହାୟ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଏକ ଶିଶୁକନ୍ୟା ନିକିତା ଗୁଣ୍ଡି ଜନ୍ମଠାରୁ ଦିବ୍ୟାଙ୍ଗ ଭଳି ମୁଣ୍ଡ ଉଠେଇ ପାରୁନାହାନ୍ତି ଏବଂ ଉଠି ବସି ନପାରି ଅଣ୍ଟା ସଳଖ ମଧ୍ୟ କରିପାରନ୍ତି ନାହିଁ । ୨୦୧୯ ମସିହାରେ ଜନ୍ମିତ ଏହି ଶିଶୁର ମାଆ ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବା ପାଇଁ ଯାଇଥିଲେ । ଅତ୍ୟନ୍ତ ଗରୀବ ପରିବାରର ହେଇଥିବାରୁ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକେ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ନିଜ ସ୍ୱାମୀ ଦ୍ୱାରା ପ୍ରତାରିତ ହୋଇ ଏହି ଶିଶୁଟିର ମାଆ ବର୍ତ୍ତମାନ ନିଜ ମାଆ ବାପାଙ୍କ ପାଖରେ ରହୁଛନ୍ତି ଯେଉଁମାନେ ମଧ୍ୟ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି ।
ଏହି ସମ୍ବେଦନଶୀଳ ଘଟଣା ଜାଣିବା ପରେ ଗତବର୍ଷ ମାର୍ଚ୍ଚ ମାସରେ ଦୀପା ବାରିକ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଯାହା ପ୍ରଭାବରେ ଉକ୍ତ ଶିଶୁଟିର ସହାୟତା କରିବା ପାଇଁ ଏକ ଡାକ୍ତରୀଦଲ ତାଙ୍କ ଘରକୁ ଯାଇଥିଲେ ଏବଂ ଉଚ୍ଚତର ଚିକିତ୍ସା ନିମନ୍ତେ ଶିଶୁଟିକୁ କଟକ ନିଆଯାଇଥିଲା. ଏହାଛଡ଼ା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ଶିଶୁଟିକୁ ନିୟମିତ ବ୍ୟବଧାନରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ବରଗଡ଼ ଡିଇଆଇସିକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଶିଶୁଟିକୁ ଥରେ ନେବାପରେ ଆଉ ଡାକ୍ତରଖାନା ନିଆ ଯାଇନାହିଁ ।
ଏହି ବିଷୟରେ ନିକିତାଙ୍କ ଆଇ ଦ୍ରୁପଦି ଗୁଣ୍ଡି ଦୀପା ବାରିକଙ୍କୁ ଜଣେଇବା ପରେ ଦୀପା ଉକ୍ତ ପରିବାର ପାଖକୁ ଯାଇ ଭେଟିଥିଲେ ଏବଂ ସମସ୍ୟା ଗୁଡିକୁ ବୁଝିଥିଲେ । ପାଇକମାଲ ଡାକ୍ତରଖାନାର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ କୁ ଯୋଗାଯୋଗ କରିଥିଲେ ଏବଂ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏହାଛଡ଼ା ଦ୍ରୌପଦୀ ଗୁଣ୍ଡିଙ୍କ ସାନ ଝିଅ ପାଠ ପଢ଼ିପାରୁ ନଥିବାରୁ ତାଙ୍କୁ ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ଯୋଜନାରେ ସହାୟତା ଯୋଗେଇଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୀପାଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଉକ୍ତ ଅସହାୟ ପରିବାର ପାଖେ ପ୍ରଶାସନ ପହଞ୍ଚି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result