No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ପଦ୍ମପୁର : – ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମର ୫୨ବର୍ଷ ବୟସ୍କ ଚାଷୀ ଦିବ୍ଯ କୁମାର ସାହୁଙ୍କ ଆଜି ହୃଦଘାତରେ ମୃତ୍ୟୁ ବରଣ କରିବା ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ତୋସିଲ ଧାନ ମଣ୍ତିରେ ଏକ ଜୁଟ ହୋଇ ସ୍ବର୍ଗତ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସ୍ବର୍ଗତ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ୧ଶହ କ୍ବିଣ୍ଟାଲ ଧାନ ମାଣ୍ତୋସିଲ ମଣ୍ତିରେ ବିକ୍ରି ପାଇଁ ଜମା ଦେଇଥିଲେ । ମାଣ୍ତୋସିଲ ମଣ୍ତିରେ ପାଖାପାଖି ୬୦ ହଜାର ବସ୍ତା ଧାନ ପଡି ରହିଥିବା ବେଳେ ମିଲର୍ସ ମାନେ ଧାନ ଉଠାଉ ନଥିବାରୁ ବାରମ୍ବାର ମଣ୍ତିକୁ ଦୌଡି ଦୌଡି ଶ୍ରୀ ସାହୁ ହତାଶ ହୋଇ ଯାଇଥିଲେ । ଶେଷରେ ଆଜି ଦିବ୍ଯ କୁମାର ସାହୁଙ୍କ ହୃଦଘାତର ମୃତ୍ୟୁ ହେବା ଘଟଣା ଚାଷୀ ମହଲରେ ଶୋକର ଛାୟା ଖେଲାଇ ଦେଉଛି ।

ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ର ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଉପସ୍ଥିତ ହୋଇ ସ୍ବର୍ଗତ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଦେବା ସହ ଓଡିଶାରେ ବତ୍ତର୍ମାନ ଏକ ହୃଦୟହୀ ସରକାରର ଶାସନ ଚାଲିଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ପଦ୍ମପୁର ଉପଖଣ୍ତ ରେ ପ୍ରତି ମଣ୍ତିରେ ୧ ମାସ ହେଲା ଲକ୍ଷ ଲକ୍ଷ ବସ୍ତା ଧାନ ପଡି ରହିଛି,ଧାନ ବିକ୍ରି ହେଉ ନଥିବାରୁ ଚିକିତ୍ସା,ଟ୍ରାକ୍ଟର ମାନଙ୍କ କିସ୍ତି ଶୁଝିବା,ପୁଅ ଝିଅ ମାନଙ୍କ ପଢା ଖର୍ଚ୍ଚ,ବିଦ୍ଯୁତ ବିଲ୍ ଦେବା କ୍ଷେତ୍ରରେ ଚାଷୀ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଚାଷୀଙ୍କ ଧାନରୁ ୮ ୵ ୯ କେଜି କଟନି ଛଟନି,ବସ୍ତା,ସୁତୁଳୀ,ଟ୍ରାସ୍ସପୋଟେସନ୍ ନାଁରେ ମିଲର୍ସ ମାନେ ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ମାଲେମାଲ ହେଉଛନ୍ତି । ମିଲର୍ସ ମାନଙ୍କ ପ୍ରତି ଅହେତୁକ ଅନୁକଂପା ଦେଖାଉଥିବା ଓଡିଶା ସରକାର ଚାଷୀଙ୍କ ପ୍ରତି ଦରଦ ହୀନ ଆଚରଣ ପ୍ରଦର୍ଶନ କରିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ପୁରୋହିତ ମତବ୍ଯକ୍ତ କରିଥିଲେ ।

ଧାନ ମଣ୍ତିରେ ଅନୁଷ୍ଠିତ ଏହି ଚାଷୀ ଶ୍ରଦ୍ଧାଞ୍ଜଳୀ ସଭାରେ ଚାଷୀ ସର୍ବ ଶ୍ରୀ ମହମ୍ମଦ ହନିଫ୍,ରାଧା ମୋହନ ପୁରୋହିତ,ଚନ୍ଦ୍ର ଶେଖର ମାଝୀ,ରୋହିତ କୁମାର ଦଣ୍ତସେନା,ରାମକୃଷ୍ଣ ସାହୁ,ଲବାଙ୍ଗ ରଣା,ଦୁଃଶାସନ କୁମ୍ଭାର,କୁଲମଣି ବେହେରା,ଲଳିତ ଜଗତ,ସୁବାଶ ହଂସ,ତରଣୀ ଷଡଙ୍ଗୀ,କାହ୍ମୁ ସାହୁ,ନିତ୍ୟାନନ୍ଦ ପ୍ରଧାନ,ପ୍ରକାଶ ନାୟକ,ସୁରେଶ ଦଣ୍ତସେନା,ସନ୍ତୋଷ ରଣା,ପର୍ଶୁରାମ ରଣା ଆଦି ଉପସ୍ଥିତ ରହି ସରକାରଙ୍କ ଚାଷୀ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ତୁରନ୍ତ ମଣ୍ତିରୁ ଧାନ ନ ଉଠିଲେ ସମସ୍ତ ରାଜରାସ୍ତା ଅବରୋଧ କରାଯିବା ବୋଲି ଚାଷୀ ମାନେ ଘୋଷଣା କରିଛନ୍ତି । ସଭା ପରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସମେତ ଚାଷୀ ମାନେ ସ୍ବର୍ଗତ ଦିବ୍ଯ କୁମାର ସାହୁଙ୍କ ଘରକୁ ଯାଇ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result