ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ରବିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଅଂଚଳର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ଶନିବାର ଠାରୁ ନିରାଡ଼ମ୍ବର ଭାବରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ହିଞ୍ଜିଳିକାଟୁ ପୌରାଂଚଳ ହିଞ୍ଜିଳି ଗ୍ରାମ ସ୍ଥିତ ମା’ କନକ ଦୁର୍ଗା, ଶ୍ୟାମାକାଳୀ, ବାରାହି ପାହାଡ଼ ସ୍ଥିତ ବୈଷ୍ଣବଦେବୀ ମା’ କନକ ଦୁର୍ଗା, ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତରେ ପୂଜିତ ମା’ କରଞ୍ଜେଇ, ନୁଆଁ ବୁରୁପୋଡ଼ା ସ୍ଥିତ ମା’ ଶ୍ୟାମଳାଇ ପ୍ରମୁଖ ଶକ୍ତିପୀଠ ଗୁଡ଼ିକରେ ଶନିବାର ଠାରୁ ନିରାଡ଼ମ୍ବର ଭାବେ ନବରାତ୍ର ପୂଜାତ୍ସେ।ବ ଆରମ୍ଭ ହୋଇଛି । ଅତୀତରେ ନବରାତ୍ର ଅବସରରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ଚଣ୍ଡିପାଠ, ହୋମଯଜ୍ଞ ତଥା ବିଶେଷ ପୂଜାର୍ଚ୍ଚନା ଚାଲୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ବିଶେଷ କରି ସନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମୁଥିବାର ପରିଲିକ୍ଷିତ ହେଉଥିଲା । ଦେବୀଙ୍କର ପର୍ବପର୍ବାଣି ମାନଙ୍କ ମଧ୍ୟରେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମି ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନା ପର୍ବ ବିଶେଷ ପ୍ରସିଦ୍ଧ ଅଟେ । ତନ୍ମଧ୍ୟରୁ ଆଶ୍ୱିନ ଅମବାସ୍ୟା ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ୯ ଦିନକୁ ମାତା କନକଦୁର୍ଗାଙ୍କ ନବରାତ୍ରୀ ମହୋସ୍ବ ବୋଲି କୁହାଯାଏ ।
ଏହି ଦିନ ମାନଙ୍କରେ ମାତା କନକଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁ-ସଜ୍ଜିତ କରାଯାଇଥାଏ । ମାତାଙ୍କ ଶିର ମୁକୁଟ ଠାରୁ ଆରମ୍ଭକରି ଲଲାଟ, କଣ୍ଠ, କାଟିତଟ, ବାହୁ ଏପରିକି ଚରଣଅଙ୍ଗୁଳିର ମୁଦ୍ରିକା ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ସୁନାଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ । ଏହି ସୁନାବେଶକୁ ଦର୍ଶନ କରିବା ସକାଶେ ପ୍ରବଳ ଜନସମାଗମ ହୋଇଥାଏ । ଶାରଦୀୟ ପାର୍ବଣର ଶେଷ ୩ ଦିନ (୬ଷ୍ଠୀ, ୭ମୀ ଓ ୮ମୀ )ବ୍ୟାପି ମନ୍ଦିର ପୀଠରେ ଘୃତଯଞ ସହ ନାମଯଞ ଓ ଭଜନ ଆୟୋଜନ କରାଯାଇଥାଏ । ମାତା କନକଦୁର୍ଗାଙ୍କୁ ପରମବୈଷ୍ଣବୀ ରୂପରେ ଗ୍ରହଣ କରାଯାଇ ପତିଦିନ ସାତ୍ୱିକ ବ୍ୟଞ୍ଜନ ହିଁ ଭୋଗଲାଗି କରାଯାଇଥାଏ । ବିଶେଷକରି ଖିରି ଓ କାକରାପିଠା ଅତି ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରି ମାଆଙ୍କୁ ଅର୍ପଣ କରାଯାଇଥାଏ । ଗଞ୍ଜାମ ତଥା ସମଗ୍ର ଓଡ଼ିଶାରେ ଆଦିଶକ୍ତି ମା କନକଦୁର୍ଗାଙ୍କ ସୁପ୍ରସିଦ୍ଧି ସମ୍ପର୍କରେ ଜଣାଯାଏ ଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧା, ଓ ବିଶ୍ୱାସର ସହିତ ମାଆଙ୍କର ବ୍ରତ ଧାରଣ କରି ମନ୍ଦିରରେ ବା ନିଜ ଘରେ ସକାଳ ଓ ସନ୍ଧ୍ୟାରେ ଦୀପଦାନ କରେ ତାର ସମସ୍ତ ମନୋକାମନା ସହସା ଫଳବତି ହୁଏ । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶାସନିକ କଟକଣା ଜାରି କରାଯାଇଥିବାରୁ ନବରାତ୍ର ପୂଜା ସମେତ ପାର୍ବଣ ଋତୁ ସମ୍ପୁର୍ଣ୍ଣ ଫିକା ପଡ଼ିଯାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ)














