ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଭଣ୍ଡାରିପୋଖରୀ :- ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର । ପୁଲିସ ବି କିଛି ସହାୟତା କଲାନି । ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି । ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର । ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି । ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ ଲୋକେ ରାସ୍ତା ନିର୍ମାଣ କରୁଛନ୍ତି । ଏହାକୁ ବିରୋଧ କରିବାକୁ ମାରି ଦେବାକୁ ଧମକ ଦେଇଥିଲେ କିଛି ଲୋକ । ଜୀବନ ବଞ୍ଚାଇବା ପାଇଁ ସେ ଭଣ୍ଡାରିପୋଖରୀ ଥାନାରେ ପହଞ୍ଚିଥିଲେ । କିନ୍ତୁ ପୁଲିସ ସାହାଯ୍ୟ କରିବା ବଦଳରେ ସକାଳୁ ଆସିବ ବୋଲି କହିଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି । ତେଣୁ ପୁରା ପରିବାର ଥାନା ଆଗରେ ରାତ୍ରୀଯାପନ କରିଥିଲେ ଦକ୍ଷିଣ ବାଡ଼ ସରପଞ୍ଚ ବିଜୟ ମହାନ୍ତି ଏହା ଜାଣିବାକୁ ପାଇବା ପରେ ସେମାନଙ୍କୁ ନେଇ ନିଜ ପଞ୍ଚାୟତରେ ଆଶ୍ରୟ ଦେଇଥିଲେ l ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । (ଦୀପ୍ତିମାନ ପତି /ଭଦ୍ରକ)














