No Result
View All Result

ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗ୍ରାମାଞ୍ଚଳର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ହାତକୁ ନିଆଯାଇଛି। କେବଳ ସଭା, ସମିତି କିମ୍ବା ପ୍ରଚାରପତ୍ର ନୁହେଁ, ବରଂ କଳା ଓ ସଂସ୍କୃତିକୁ ଜନସଚେତନତାର ମାଧ୍ୟମ କରି ପଥପ୍ରାନ୍ତ ନାଟକ ଜରିଆରେ ଗାଁ ଗାଁରେ ସରକାରୀ ଯୋଜନାର ବାର୍ତ୍ତା ପହଞ୍ଚାଯାଉଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଲିଗୁଡ଼ା ବ୍ଲକ୍ର ବଡ଼ଗାଁ, ବାରଖମା ଓ ସିନ୍ଦ୍ରିଗାଁ ଠାରେ ସ୍ୱତନ୍ତ୍ର ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର, ବାଲିଗୁଡ଼ା ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଗୋଠ ହସିଲେ ହସିବ ସଂସାର’ ନାଟକ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ସହ ଚାଷୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆର୍ଥିକ ବାର୍ତ୍ତା ପ୍ରଦାନ କରିଥିଲା। ନାଟକ ମାଧ୍ୟମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସବ୍ସିଡି ବ୍ୟବସ୍ଥା, ପ୍ରାଣୀଧନ ବୀମା, ପ୍ରାଣୀ ଚିକିତ୍ସା ସୁବିଧା ଓ ଘାସ ଚାଷର ଉପକାରିତା ସମ୍ପର୍କରେ ସରଳ ତଥା ମନୋରଞ୍ଜନଧର୍ମୀ ଢଙ୍ଗରେ ଲୋକଙ୍କୁ ବୁଝାଯାଇଥିଲା।

ବିଶେଷକରି ଗୋପାଳନ, କୁକୁଡ଼ା ଚାଷ, ଛେଳି ପାଳନ, ଘୁଷୁରି ପାଳନ ଓ ବତକ ଚାଷ ଭଳି ବିଭିନ୍ନ ପ୍ରାଣୀ ସମ୍ପଦ ଭିତ୍ତିକ ଆୟମୂଳକ କାର୍ଯ୍ୟକୁ ଆପଣାଇ ଗ୍ରାମାଞ୍ଚଳର ଚାଷୀମାନେ କିପରି ଅଧିକ ରୋଜଗାର କ୍ଷମ ହୋଇପାରିବେ, ସେନେଇ ନାଟକରେ ବାସ୍ତବଧର୍ମୀ ଚିତ୍ର ଉପସ୍ଥାପନ କରାଯାଇଥିଲା। ପାରମ୍ପରିକ ଚାଷ ସହ ପ୍ରାଣୀ ସମ୍ପଦକୁ ଯୋଡ଼ି ଜୀବିକାର ବିକଳ୍ପ ଉତ୍ସ ସୃଷ୍ଟି କରିବା ଏବଂ ସରକାରୀ ସହାୟତାର ସୁଯୋଗ ନେଇ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଚାଷୀଙ୍କୁ ଉତ୍ସାହିତ କରାଯାଇଥିଲା। ନାଟକରେ ରାଜେଶ, ବିଜୟ, ବାବୁଲି, ହ୍ୟାପି, ଦୀପ୍ତି, ସଚ୍ଚି ଓ ବିଷ୍ଣୁ ପ୍ରମୁଖ କଳାକାର ଅଂଶଗ୍ରହଣ କରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ।

କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ, ଏଲ୍ଆଇ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ନାଟକ ଉପଭୋଗ କରିବା ସହ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ସାଧାରଣତଃ ଗ୍ରାମାଞ୍ଚଳର ଅନେକ ଚାଷୀ ସରକାରୀ ଯୋଜନା, ସବ୍ସିଡି ଓ ବିଭାଗୀୟ ସୁବିଧା ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରୁ ନଥିବାବେଳେ ଏଭଳି ପଥପ୍ରାନ୍ତ ନାଟକ ସେମାନଙ୍କ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ସାଜିଛି। ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ଆୟବୃଦ୍ଧିର ସମ୍ଭାବନା ସୃଷ୍ଟି କରିବା ଦିଗରେ ବିଭାଗର ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। କଳା ଓ ସଂସ୍କୃତି ମାଧ୍ୟମରେ ଚାଷୀଙ୍କୁ ସଚେତନ କରି ସ୍ୱାବଲମ୍ବୀ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଅଧିକ ଗ୍ରାମରେ ପହଞ୍ଚିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

No Result
View All Result