ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଢେଙ୍କାନାଳ :- ଭୋଟ ପରେ ଭୋଟ ଦେଇ ଚାଲିଛି, ଭୋଟବେଳେ ନୋଟ ମିଳୁଛି କିନ୍ତୁ ମୁଣ୍ଡରୁ ବୋଝ ହଟୁନି । ପକ୍କାଘର ତ ଦୂରର କଥା, ମୋ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନି । ଆଜି ସେଇ ପୁରୁଣା ଭଙ୍ଗା କୁଡ଼ିଆରେ ଟଙ୍କିକିଆ ଚାଉଳର ଭାତ ସାଙ୍ଗରେ କାନ୍ଧିଆ ଆହାର ସାଜିଛି । ଏଭଳି କହି ଭୋକର ଆଉଟୁପାଉଟୁ ଓ ଜୀବନଯନ୍ତ୍ରଣାର କାଠଗଡାରେ ଛଟପଟ ହୋଇ ଜୀବନ କାଟୁଛନ୍ତି କାଠଗଡାର ରବି ଦେହୁରୀ ପରିବାର । ଦେଖିଲେ ଜଣାପଡୁଛି, ବୟସର ଅପରାହ୍ନରେ ରବି ଦେହୁରୀ କିନ୍ତୁ ଆଧାର ଠିକଣା କହୁଛି, ବୟସ ତେପନ,କାଠଗଡା ପର୍ବତିଆ ସାହି ।

ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରି ତା’ର ପରିବାର ପ୍ରତିପୋଷଣ କରେ । ତା ଭିତରେ ଦୁଇ ଝିଅ ବାହା ସାରିଛି । ସ୍ତ୍ରୀ ଓ ବଡ଼ପୁଅ ଆଗରୁ ମୃତ୍ୟୁବରଣ କରିଥିବା ବେଳେ ସାନପୁଅ ଏଇ ପାଞ୍ଚ ବର୍ଷ ତଳେ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ଭଳି ତିନି ଛୁଆ ଓ ବିଧବା ସ୍ତ୍ରୀ କୁ ଛାଡି ସବୁଦିନ ପାଇଁ ନିଶାର ଯନ୍ତ୍ରଣାରେ ଦେହତ୍ୟାଗ କରିଛି । ବୃଦ୍ଧ ବୟସରେ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରି କରୁଥିବା ବେଳେ ପଡିଯିବାରୁ ବାମ ହାତ ଭାଙ୍ଗି ଗଲା । ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଲା ।

ତଥାପି ହାର୍ ନମାନି ଭଙ୍ଗା ଅଚଳ ହାତରେ ଦିନ ମଜୁରି ଭାବେ ଘାଷ କାଟି ଓ ନଡ଼ିଆ ଝାଡୁ ତିଆରି କରି ତିନି ନାତି ନାତୁଣୀ ଓ ବୋହୁକୁ ନେଇ ବହୁ କଷ୍ଟରେ ପରିବାର ଚଳାଇଛି । ଟଙ୍କିକିଆ ଚାଉଳର ଭାତ ସାଙ୍ଗରେ କାନ୍ଧିଆ ଆହାର ସାଜିଛି । ଭୋକର ଆଉଟୁପାଉଟୁ ଓ ଜୀବନଯନ୍ତ୍ରଣାର କାଠଗଡାରେ ଜୀବନ କାଟୁଥିବା ବେଳେ ସରକାରୀ ସହାୟତା ଏଠି ସାତ ସପନ ପାଲଟିଛି । ପକ୍କାଘର ତ ଦୂରର କଥା, ସାମାନ୍ୟ ଆଧାରରେ ଜନ୍ମ ତାରିଖ ଭୁଲ୍ ଦର୍ଶା ଯାଇଥିବାରୁ ବାର୍ଦ୍ଧକ୍ୟ ଭତ୍ତା ବି ମିଳିପାରୁନି । ତେବେ କେବେ ମିଳିବ ସରକାରୀ ସହାୟତା ଚାହିଁ ରହିଛନ୍ତି ବୃଦ୍ଧର ପାଞ୍ଚ ପ୍ରାଣୀର ସଂସାର । (ରିପୋର୍ଟ , ଅମର ରଞ୍ଜନ ଦାସ)














