ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ଦୁଇ ଯୁବନେତାଙ୍କ ଇସ୍ତଫା। ଦଳର ପ୍ରାଥମିକ ସଦସ୍ୟତା ସହ ନିଜ ନିଜ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି ବାଲିଗୁଡ଼ା ନଗରର ଦୁଇ ଯୁବନେତା। ସେମାନେ ହେଲେ ବାଲିଗୁଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦର ନଗର ଯୁବ କାର୍ଯ୍ୟକାରୀ ସଭାପତି ସୁବ୍ରତ କୁମାର ପ୍ରଧାନୀ ଏବଂ ନଗର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ଅମାୟତ। ଉଭୟ ନେତା କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ଜରିଆରେ ଦଳର ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଲିଖିତ ଇସ୍ତଫାପତ୍ର ପ୍ରେରଣ କରିଛନ୍ତି ।

ଦୀର୍ଘଦିନ ଧରି ଦଳର ସକ୍ରିୟ କର୍ମୀ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଓ ଦଳୀୟ କାର୍ଯ୍ୟଧାରାରେ ସାମିଲ ରହିବା ପରେ ଏଭଳି ନିଷ୍ପତ୍ତି ନେବାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ସୁବ୍ରତ କୁମାର ପ୍ରଧାନୀ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସେ ଦୀର୍ଘଦିନ ଧରି ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ରହିବା ସହ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ନିଜର ଯୋଗଦାନ ଦେଇଆସୁଥିଲେ। ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ତାଙ୍କୁ ବାଲିଗୁଡ଼ା ଏନ୍ଏସିର ନଗର ଯୁବ କାର୍ଯ୍ୟକାରୀ ସଭାପତି ଭାବେ ନୂତନ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇ ଥିଲା।
ତେବେ ବର୍ତ୍ତମାନର ସାଂଗଠନିକ ପରିସ୍ଥିତି ଓ ନିଜସ୍ୱ ରାଜନୈତିକ ବିଚାରଧାରାକୁ ଦୃଷ୍ଟିରେ ରଖି ସେ ଆଗକୁ ଦଳରେ ନିଜର ସକ୍ରିୟ ରାଜନୈତିକ ଯାତ୍ରା ଜାରି ରଖିବାକୁ ଇଚ୍ଛୁକ ନଥିବା ଦର୍ଶାଇଛନ୍ତି। ଏଣୁ ବିଚାରବିମର୍ଶ କରି ସେ ଦଳର ପ୍ରାଥମିକ ସଦସ୍ୟତା ସହ ନିଜ ପଦବୀରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ସେହିପରି ନଗର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ଅମାୟତ ମଧ୍ୟ ସମାନ କାରଣ ଦର୍ଶାଇ ନିଜ ପଦବୀ ସହ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି।
















