
କଟକ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପବିତ୍ର କାର୍ତ୍ତିକ ମାସର ପରମ୍ପରା ଓ ଧାର୍ମିକ ଆସ୍ଥାକୁ ଆଧାର କରି ଶାସୋଳ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଗ୍ରାମର କାଜି ସାହି, ମଝି ସାହି, ଢିଅ ସାହି, ମାଝି ସାହି ଓ ଗରାମ ଆଦି ଅଞ୍ଚଳରେ ପୂଜାକୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହେଵା ସହ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇଉଠିଛି । ପୂଜା ମଣ୍ଡପରେ ସ୍ଥାପିତ ଆକର୍ଷଣୀୟ ପୌରାଣିକ ମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା ଶ୍ରଦ୍ଧାଳୁଙ୍କ ମନକୁ ଆକର୍ଷିତ କରୁଛି । ରଙ୍ଗିନ ଆଲୋକମାଳାରେ ଝଲସୁଥିବା ପୂଜାମଣ୍ଡପ ପରିବେଶକୁ ଆଧ୍ୟାତ୍ମିକ ଓ ମନୋରମ କରି ତୋଳିଛି ।

ଏଥିସହ ପୌରାଣିକ କଥାବସ୍ତୁ ଆଧାରିତ ଅସୁର ସଂହାରର ଦୃଶ୍ୟକୁ ଅତ୍ୟନ୍ତ ଜୀବନ୍ତ ଓ ଆକର୍ଷଣୀୟ ଭାବେ ପ୍ରଦର୍ଶିତ କରାଯାଇଛି । ପୂଜା ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକଙ୍କ ଆଗମନ ହେଉଥିବାରୁ ମଣ୍ଡପରେ ଭିଡ଼ ଜମୁଛି । ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ପୂଜାର୍ଚ୍ଚନା ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ଆସନ୍ତା ୨୯ ତାରିଖରେ କାର୍ତ୍ତିକେଶ୍ୱରଙ୍କ ବିସର୍ଜନ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର କର୍ମକର୍ତ୍ତାଙ୍କ ସୂତ୍ରରୁ ଜଣାପଡ଼ିଛି ।














