ମା’ ରାମଚଣ୍ଡୀ ମନ୍ଦିରରେ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବି. ସୂର୍ଯ୍ୟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କ୍ଲବର ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ଲବର ଚାର୍ଟର ସଦସ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ଗୋଦାବରୀଶ ସାହୁଙ୍କୁ ସେମାନଙ୍କ ଅବଦାନ ଓ ଦୀର୍ଘଦିନର ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଉପସ୍ଥିତ ରୋଟାରିଆନମାନେ ରୋଟାରୀ ସହ ଜଡ଼ିତ ନିଜ ନିଜର ଅନୁଭୂତି ଓ ସ୍ମୃତି ବଖାଣିବା ସହ ସମାଜସେବା କ୍ଷେତ୍ରରେ ରୋଟାରୀର ଭୂମିକା ଏବଂ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଚାର୍ଟର ଡେ ଅବସରରେ କ୍ଲବ ପକ୍ଷରୁ ନୂଆଗାଁ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରେ ଏକ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
















