No Result
View All Result

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାଣିଜ୍ୟ ନଗରୀ କଣ୍ଟାବାଞ୍ଜିରେ ଟ୍ରାଫିକ୍ ସମସ୍ୟା ଏବେ ନିୟନ୍ତ୍ରଣ ବାହାରେ। ପ୍ରତିଦିନ ସହରର ମୁଖ୍ୟ ରାସ୍ତା, ବଜାର ଅଞ୍ଚଳ ଏବଂ ଜନଗହଳିପୂର୍ଣ୍ଣ ଛକମାନଙ୍କରେ ଘଣ୍ଟା ଘଣ୍ଟା ଧରି ଯାନବାହନ ଅଟକି ରହୁଛି। ବ୍ୟବସାୟ, ଶିକ୍ଷା, ଚିକିତ୍ସା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ସହରକୁ ଆସୁଥିବାରୁ ଗାଡ଼ି ସଂଖ୍ୟା ବଢୁଛି, କିନ୍ତୁ ନା ଅଛି ପାର୍କିଂ ଶୃଙ୍ଖଳା, ନା ଅଛି ଟ୍ରାଫିକ୍ ନିୟନ୍ତ୍ରଣ। ଅନିୟନ୍ତ୍ରିତ ଯାନ ଚଳାଚଳ ଓ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ଯୋଗୁଁ ଦୋକାନୀ, ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ ସମସ୍ତେ ହଇରାଣ ହେଉଛନ୍ତି।

ସବୁଠୁ ଚିନ୍ତାର ବିଷୟ, ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀ ସେବା ବି ଜାମରେ ଫସି ରହୁଛି, ଯାହା ଜନ ସୁରକ୍ଷା ପାଇଁ ବଡ଼ ବିପଦ। ଏହି ଗୁରୁତର ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ଦିଆଯାଇଛି। ସଭାପତି ବିଶାଳ ତାଣ୍ଡି ଓ ସମ୍ପାଦକ ଜିତୁ ସୁନାଙ୍କ ନେତୃତ୍ୱରେ ସଦସ୍ୟ ସୁହିଲ ବେହେରା, ଲକି ପନିକା, ଆକାଶ ନାଗ, ଗୋପୀ ପନିକା ଉପସ୍ଥିତ ରହି ବିଧାୟକଙ୍କୁ ସବୁ ସମସ୍ୟା ବୁଝାଇଥିଲେ।
କମିଟିର ଦାବି ହେଉଛି – ସହରର ଗୁରୁତ୍ୱପୂର୍ଣ୍ଣ ଛକରେ ଟ୍ରାଫିକ ପୋଲିସ ନିୟୋଜନ, ବେଆଇନ ପାର୍କିଂ ଉପରେ ରୋକ, ଯାନ ଚଳାଚଳ ପାଇଁ ସ୍ପଷ୍ଟ ନିୟମ ପ୍ରଣୟନ ଏବଂ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ଅଭିଯାନ। ଏଥିସହ ପ୍ରଶାସନ, ପୋଲିସ ଓ ଜନପ୍ରତିନିଧି ମିଶି ଏକ ଯୋଜନାବଦ୍ଧ ରୋଡମ୍ୟାପ କରିବାକୁ କମିଟି ଅନୁରୋଧ କରିଛି। ବିଧାୟକ ହସ୍ତକ୍ଷେପ କରି ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା ରଖିଛି ନାଗରିକ କମିଟି।

No Result
View All Result