କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ କନ୍ଧମାଳ ଜିଲ୍ଲାରେ ସତର୍କତା ଜାରି କରିଛି ପ୍ରଶାସନ । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ବିପଦଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ଆଗୁଆ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ିଆ ଉପତ୍ୟକା ଏବଂ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରେ ବସବାସ କରୁଥିବା ପରିବାର ଗୁଡ଼ିକୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ବିପଦ ମୁକାବିଲା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି ।















