
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ଅଦାଲତ ପରିସରରେ ଜାତୀୟ ଏକତା ଦିବସ (National Unity Day) ପାଳନ ହୋଇ ଯାଇଛି । ମାନ୍ୟବର ଅଜନ୍ତା ଷଡ଼ଙ୍ଗୀ, ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ଙ୍କ ନିର୍ଦ୍ଦେଶକ୍ରମେ ଏହି ଦିବସ ପାଳନ ହୋଇଅଛି । ଏହି ଅବସରରେ ନୟାଗଡ଼ ନ୍ୟାୟିକ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ବାର୍ ଆସୋସିଏସନ୍ର ସଦସ୍ୟବୃନ୍ଦ, ଅଦାଲତର କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଏବଂ ପାରା ଲିଗାଲ୍ ସ୍ୱେଚ୍ଛାସେବୀ (PLVs) ଉପସ୍ଥିତ ରହିଥିଲେ ।

ସର୍ବପ୍ରଥମେ, ରାଷ୍ଟ୍ରୀୟ ଏକତା ନିମତେ ଏକ ସ୍ଵରରେ ଶପଥ ପାଠ କରଯାଇଥିଲା । କାର୍ଯ୍ୟକ୍ରମରେ ଜାତୀୟ ଏକତାର ମହତ୍ତ୍ୱ, ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସାମାଜିକ ସଂହତି ରକ୍ଷାରେ ଏକତାର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ଏବଂ ତାଙ୍କର କୃତିତ୍ଵ ଆଦି ବିସ୍ତୃତ ଭାବରେ ଆଲୋଚନା କରଯାଇଥିଲା; ଯାହା ଭାରତ ବର୍ଷକୁ ନୂତନ ଦିଶା ଏବଂ ସଂଚାର ଦେଖାଇଅଛି । ଭାଷା, ଧର୍ମ, ଜାତି, ସଂସ୍କୃତି ଓ ଆଞ୍ଚଳିକ ବିବିଧତା ସତ୍ତ୍ୱେ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ହିଁ ଭାରତୀୟ ଗଣତନ୍ତ୍ରର ପ୍ରକୃତ ଶକ୍ତି ବୋଲି ମତ ପ୍ରକାଶ ପାଇଥିଲା।
ଏଥିସହିତ, କୌଣସି ଅନୁଷ୍ଠାନର ସଫଳତା, ଶୃଙ୍ଖଳା, ସମନ୍ୱୟ ଓ ସାମୂହିକ ଲକ୍ଷ୍ୟ ହାସଲ କରିବାରେ ଏକତାର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ବ୍ୟକ୍ତିଗତ ସ୍ୱାର୍ଥଠାରୁ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ ପରସ୍ପର ମଧ୍ୟରେ ସହଯୋଗ, ସମ୍ମାନ ଓ ସହନଶୀଳତା ମନୋଭାବ ରଖିବା ଦ୍ୱାରା ଏକ ସୁଦୃଢ଼ ରାଷ୍ଟ୍ର ଓ ଉତ୍ତମ ଅନୁଷ୍ଠାନ ଗଠନ ସମ୍ଭବ ବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ ସୁଚାରୁରୂପେ ଆୟୋଜିତ ହୋଇଥିଲା।
ଏହା ପାଳନ ହେବ ସହିତ, ଆଉ ଦୁଇ ଗୋଟି ବିଷୟରେ ସଚେତନତା ମଧ୍ୟ କରଯାଇଥିଲା । ଶେଷରେ ସେ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ନ୍ୟାୟିକ ଅଧିକାରୀ, ବାର୍ ସଦସ୍ୟ, କର୍ମଚାରୀ ଓ ପାରା ଲିଗାଲ୍ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ଏବଂ ଏକତା ହିଁ ଶକ୍ତି, ଏକତା ହିଁ ରାଷ୍ଟ୍ରର ଅଖଣ୍ଡତା ଓ ପ୍ରଗତିର ମୂଳଭିତ୍ତି ବୋଲି ପରିଶେଷରେ ସଚିବ ବ୍ୟକ୍ତ କରି ସଭା ସମାପ୍ତ କରିଥିଲେ ।














