ଗୋପ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କୋଣାର୍କ ଥାନା ଅଧିନସ୍ଥ କରମଙ୍ଗା ଗ୍ରାମ ସ୍ଥିତ ଶ୍ରୀରାମ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ସାମଗ୍ରୀ ମଙ୍ଗଳବାର ରାତିରେ ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟିର ସଂପାଦକ କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଧିନସ୍ଥ କରମଙ୍ଗା ଗ୍ରାମ ସ୍ଥିତ ଶ୍ରୀରାମ ମନ୍ଦିର ପୂଜକ ସୁଦର୍ଶନ ଦାସ ସବୁଦିନ ପରି ମଙ୍ଗଳବାର ରାତ୍ରି ୮ଘ ୩୦ ମିନିଟ ସମୟରେ ଠାକୁରଙ୍କ ରୀତିନୀତି ସଂପନ୍ନ କରିବା ପରେ ମନ୍ଦିର ପହୁଡ ପକାଇ ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ ।

ବୁଧବାର ଭୋର ୫ଘ ୪୦ ମିନିଟ ସମୟରେ ପୂଜକ ସୁଦର୍ଶନ ଦାସ ଠାକୁରଙ୍କ ରୀତିନୀତି ପାଇଁ ମନ୍ଦିରରେ ପହଞ୍ଚି ଦେଖିଲେ ଯେ ମନ୍ଦିରର ଦକ୍ଷିଣ ପାର୍ଶରେ ଥିବା ଗ୍ରୀଲ କଟା ଯାଇଥିବା ନେଇ ପରିଚାଳନା କମିଟି କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ। ଏହି ଘଟଣାକୁ ଗୁରୁତ୍ବ କରି କୋଣାର୍କ ଶ୍ରୀରାମ ମନ୍ଦିର ସଂପାଦକ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ କର୍ମକର୍ତ୍ତା ମାନେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ସାମଗ୍ରୀ ଦୃବର୍ତ୍ତମାନେ ଚୋରି କରି ଫେରାଇ ହୋଇଯାଇଥିବା ନେଇ ବୁଧବାର ପୂର୍ବାହ୍ନ ସମୟରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଦୃବର୍ତ୍ତ ମାନେ ଶ୍ରୀରାମ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ଥିବା ଲୁହା ଗ୍ରୀଲ ଭାଙ୍ଗି ରାମ ଲକ୍ଷ୍ମଣ, ସୀତା ଓ ହନୁମାନ ପ୍ରମୁଖ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ ଗୋଟି ମୂଲ୍ୟବାନ ରୂପା ମୁକୁଟ ଯାହାର ଆନୁମାନିକ ମୂଲ୍ଯ ୫ଲକ୍ଷ ଟଙ୍କା, ଠାକୁରଙ୍କ ବାସନ କୁସନ, ମନ୍ଦିରର ଦାନ ବାକ୍ସ ତାଡି ସେଥିରେ ଥିବା ୨୦ ହଜାର ଟଙ୍କା ଚୋରି କରି ଦୃବର୍ତ୍ତମାନେ ମନ୍ଦିରରେ କଳାକନା ବୁଲାଇବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୋଣାର୍କ ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ପୁରୀ ସ୍ଥିତ ସାଇଣ୍ଟିଫିକ ଟିମକୁ ଅବଗତ କରାଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି।
















