ଧର୍ମପରାୟଣା ଓ ସମାଜସେବୀ ମହିଳାଙ୍କ ବିୟୋଗରେ ଶୋକର ଛାୟା
ଜନ୍ମ : ୦୧.୦୧.୧୯୪୭ – ତିରୋଧାନ : ୧୭.୧୦.୨୦୨୬
ରଣପୁର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ନୟାଗଡ଼ ଜିଲ୍ଲାର ରାଜ-ରଣପୁରସ୍ଥିତ ଶାମୁକା ସାହିର ଧର୍ମପରାୟଣା, ପରୋପକାରୀ ତଥା ସମାଜସେବୀ ମହିଳା ସ୍ୱର୍ଗତା ଦୁଃଖୀ ସାହୁଙ୍କର ୭୯ ବର୍ଷ ବୟସରେ ୧୭ ଅକ୍ଟୋବର ୨୦୨୬, ଶନିବାର ପ୍ରାତଃ ୫ଟା ସମୟରେ ପରଲୋକ ଘଟିଛି। ତାଙ୍କର ବିୟୋଗରେ ରାଜ-ରଣପୁର ଓ ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଭୁବନେଶ୍ୱରର ନୀଳାଦ୍ରି ବିହାରରେ ରହୁଥିବା ତାଙ୍କ ବଡ଼ପୁଅ ଓ ବଡ଼ବୋହୂଙ୍କ ନିକଟରେ ଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।

ତୁରନ୍ତ ତାଙ୍କ ବଡ଼ପୁଅ ମନୋରଞ୍ଜନଙ୍କ ବନ୍ଧୁ ତଥା ଉତ୍କଳ ହସ୍ପିଟାଲର ଲୋକସମ୍ପର୍କ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ଲାଲଙ୍କ ସହଯୋଗରେ ତାଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବରିଷ୍ଠ ଡାକ୍ତରମାନଙ୍କର ଏକ ଟିମ୍ ତାଙ୍କର ଚିକିତ୍ସା ଓ ଯତ୍ନ ନେଇଥିଲେ । ଡାକ୍ତରମାନଙ୍କର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା ଏବଂ ସେ ଇହଲୀଳା ସମ୍ବରଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ, କନିଷ୍ଠ ପୁତ୍ର ଚିତ୍ତରଞ୍ଜନ, ବଡ଼ବୋହୂ କମଳିନୀ, ନାତି ଏବଂ ଅନ୍ୟାନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ସ୍ୱାମୀ ଶ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ବୟସ ୮୮ ବର୍ଷ ।
ସ୍ୱର୍ଗତ ଦୁଃଖୀ ସାହୁ ନିଜର ଧର୍ମପରାୟଣ ଜୀବନ, ସ୍ନେହଶୀଳ ସ୍ୱଭାବ ଓ ସମାଜ ପ୍ରତି ଅବଦାନ ପାଇଁ ସମସ୍ତଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ। ତାଙ୍କର ବିୟୋଗ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ପରମେଶ୍ୱର ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ । ଓଁ ଶାନ୍ତିଃ! ଶାନ୍ତିଃ! ଶାନ୍ତିଃ!














