ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ । ପିତୃପୁରୁଷଙ୍କୁ ପିଣ୍ଡଦାନ, ତିଳତର୍ପଣ କଲେ ପିତୃଲୋକ ଅନ୍ନ ଜଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଚାରିପଟ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ସମେତ ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ମାର୍କଣ୍ଡ, ମହୋଦଧି ତୀର୍ଥ ପୁଷ୍କରିଣୀରେ ପିତୃଲୋକଙ୍କୁ ଶ୍ରାଦ୍ଧ ପିଣ୍ତଦାନ କରିଛନ୍ତି ।

ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ବର୍ଗପ୍ରାପ୍ତି ହେବା ସହ ମୋକ୍ଷ ପ୍ରାପ୍ତି ହେବା ବିଶ୍ୱାସ ରହିଛି । ଏଥିପାଇଁ ସକାଳୁ ସକାଳୁ ହଜାର ଶ୍ରଦ୍ଧାଳୁ ପୁରୀ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶ୍ରୀମନ୍ଦିର ଉତ୍ତର ଦ୍ଵାର, ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ଓ ପିଣ୍ତଦାନ କରିବା ସହ ପିତୃ ପୁରୁଷଙ୍କୁ ମନେ ପକାଇଛନ୍ତି । ଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃପକ୍ଷ ନାମରେ ପରିଚିତ । ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ ।















