No Result
View All Result
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ ଶୁଭାରମ୍ଭ କରାଯାଇଛି । ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ -ନିବନ୍ଧକ ଅନନ୍ତ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ,ନୟାଗଡ଼ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ପ୍ରାର୍ଥନା ପ୍ରିୟଦର୍ଶିନୀ, ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାହୀ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା । ଏହି ଅବସରରେ ନୟାଗଡ଼ ସମବାୟ ସମିତି ଉପ-ନିବନ୍ଧକ ଶ୍ରୀଯୁକ୍ତ ଅନନ୍ତ କୁମାର ନାୟକ ସ୍ୱାଗତ ଅଭିଭାଷଣ ରଖିବା ସହ ପ୍ୟାକ୍ସ ଗୁଡ଼ିକରେ ହେବାକୁ ଥିବା ସଦସ୍ୟତା ଅଭିଯାନ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସିଏସ୍ସି ଜରିଆରେ ଚାଷୀଙ୍କୁ ପ୍ୟାକ୍ସ ଦ୍ୱାରା ମିଳୁଥିବା ସୁବିଧା ବିଷୟରେ ଆଲୋଚନା କରିଥିଲେ । ପ୍ୟାକ୍ସ ଜରିଆରେ ଚାଷୀଙ୍କ ଉନ୍ନତୀ ବିଷୟରେ ମଧ୍ୟ ଅବଗତ କରାଇଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ପ୍ୟାକ୍ସ ଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ସମବାୟ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହା ସହିତ ରାଜ୍ୟ ସରକାର ପ୍ୟାକ୍ସ ଗୁଡ଼ିକର ଭିତ୍ତିଭୂମୀ ସୁଦୃଢ଼ କରିବାକୁ ନେଉଥିବା ପଦକ୍ଷେପ ଓ ସହାୟତା ସମ୍ପର୍କରେ କହିଥିଲେ ।
ସମବାୟ ସଦସ୍ୟତା ମହାଅଭିଯାନ ଦ୍ୱାରା ଜିଲ୍ଲାରେ ୬୦ ହଜାର ନୂତନ ସଦସ୍ୟ ଗ୍ରହଣ ପାଇଁ ଟାର୍ଗେଟ ରହିଥିବା କହିଥିଲେ । ସେହିଭଳି ଭାବେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଚାଷୀଟିଏ ସଦସ୍ୟ ହେବା ଅର୍ଥ ସମବାୟ ସଂସ୍ଥାରେ ସେ ନିଜର ଅଂଶୀଦାରକୁ ଜାହିରି କରିବା ବୋଲି କହିଥିଲେ । କେବଳ ସଂଖ୍ୟା ବୃଦ୍ଧି ପାଇଁ ନୁହେଁ, ସଚେତନ ହୋଇ ସକ୍ରିୟ ଅଂଶ ଗ୍ରହଣ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ । ସମବାୟରେ ଅଂଶଦାର ହୋଇ ନିଜର ସହଭାଗିତା ରଖିବା ପାଇଁ ସେ ନୟାଗଡ଼ ଜିଲ୍ଲାର ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ।

କୃଷକଟିଏ ସମବାୟ ସମିତିକୁ ଆସିବା ସମୟରେ ସମ୍ମାନର ସହ ଚୈାକି ଓ ପାଣି ଗ୍ଲାସଟିଏ ଦେବାକୁ ସେ ସମିତି କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ଭାବେ ଗଠିତ ପ୍ୟାକ୍ସ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସମବାୟ ବିଭାଗ କର୍ମଚାରୀ ଓ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀମାନେ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ସମବାୟ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମାଣ କରାଯାଇଥିବା ୨୩ଟି ଭିତ୍ତିଭୂମୀକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ।
ଏହାପରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଓ ଅନ୍ୟ ଅତିଥି ବୃନ୍ଦ ଫଳକ ଉନ୍ମୋଚନ କରିଛନ୍ତି । ନୟାଗଡ଼ ଜିଲ୍ଲାର ଭାପୁର, କଇଥପଲ୍ଲୀ, ଗୁମ୍ମୀ, ଦର୍ପନାରାୟଣପୁର, ଦହିଖାଇ, ବଡ଼ପୁଟ, ଭାଡ଼ିକିଳା, ମାଛିପଡ଼ା, ଜେମାଦେଇପୁରପାଟଣା ଧାନ ସଂଗ୍ରହ କେନ୍ଦ୍ର ଏବଂ ନଡ଼ିଆଳି, ନୟାଗଡ଼, ଖମାରିସାହି, ଜେମାଦେଇପୁର, ବାଲୁଗାଁ, ଡିହଗାଁ ଜଳେଶ୍ୱର, ଖମାରିସାହି, ମଧ୍ୟଖଣ୍ଡ, ସୋଲପଟା, ବାଉଁଶଗାଡ଼ିଆ, ଓଡ଼ଗାଁ, ହରିହରପୁର, ସାକେରୀ ସମବାୟ ସମିତି କାର୍ଯ୍ୟାଳୟ ଗୃହ ଏବଂ ଗୋଦାମ ଗୃହକୁ ଲୋକାର୍ପଣ କରାଯାଇଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସେନାପତି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଏବଂ ବହୁ ମାତ୍ରାରେ ଜନ ସାଧାରଣ ଉପସ୍ଥିତ ଥିଲେ l


No Result
View All Result