ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ବକ୍ସ ଓ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଦାବି କାଶୀନଗର, ଗଜପତି: କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପରିଷଦ ସଭାଗୃହରେ ଏକ ସାଧାରଣ ବୈଠକ ଓ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଏମ୍. ସୁଧାରାଣୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ କାଶୀନଗର ସହରର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ନାଗରିକ ସୁବିଧା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ନିୟମିତ ଭାବେ ପରିମଳ ବ୍ୟବସ୍ଥାର ତଦାରଖ କରିବା ଏବଂ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଠନ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ମୁଖତ ଗଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ସଂରକ୍ଷଣ ପାଇଁ ଏକ ସବ୍ ବକ୍ସ ବ୍ୟବସ୍ଥା କରିବା ସହ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ‘ସ୍ୱର୍ଗଦ୍ୱାର’ ଗାଡ଼ି ଯୋଗାଇଦେବା ପାଇଁ ଦାବି ଉଠାଯାଇଥିଲା । ଏହି ସୁବିଧା ଉପଲବ୍ଧ ହେଲେ ଗରିବ ଓ ଅସହାୟ ପରିବାରମାନଙ୍କୁ ଅନେକ ସମୟରେ ସହାୟତା ମିଳିପାରିବ ବୋଲି ମତ ପ୍ରକାଶ ପାଇଥିଲା ।
ବୈଠକରେ ସହରର ଆବର୍ଜନା ପରିଚାଳନା, ପରିମଳ ବ୍ୟବସ୍ଥାର ଉନ୍ନତି, ପରିବେଶ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା କେବଳ ପରିଷଦର ଦାୟିତ୍ୱ ନୁହେଁ, ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଓ ସଦସ୍ୟମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ କାଉନସିଲର, ପରିଷଦ ସଦସ୍ୟ,
କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ଏବଂ ସମ୍ପୃକ୍ତ ବ୍ୟକ୍ତିମାନେ ଯୋଗଦେଇଥିଲେ । ସହରର ବିଭିନ୍ନ ସମସ୍ୟା ଓ ନାଗରିକଙ୍କ ଆବଶ୍ୟକତା ନେଇ ଆଲୋଚନା କରିବା ସହ ସ୍ୱଚ୍ଛତା ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ନେଇ ମତବିନିମୟ ହୋଇଥିଲା । ବୈଠକ ମାଧ୍ୟମରେ କାଶୀନଗର ସହରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।














