ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଆଗାମୀ ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି ଭକ୍ତ, ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ସୁରକ୍ଷା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଫୁଟ୍ ପେଟ୍ରୋଲିଂ କରାଯାଇଛି। ପୁରୀ ଏସ୍ପି ପ୍ରତୀକ ସିଂ ଓ ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ଆଇଆଇସି ଓ ପୋଲିସ ଅଧିକାରୀମାନେ ସହରର ପ୍ରମୁଖ ସ୍ଥାନ,

ବଜାର, ପୂଜାମଣ୍ଡପ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ନିଶା କାରବାର ପ୍ରବଣ ଅଞ୍ଚଳଗୁଡ଼ିକରେ ଫୁଟ୍ ପେଟ୍ରୋଲିଂ କରିବା ସହିତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଏହି ଅବସରରେ ପୋଲିସ ଅଧିକାରୀମାନେ ସ୍ଥାନୀୟ ଲୋକ, ବ୍ୟବସାୟୀ, ଭକ୍ତ ଓ ପର୍ଯ୍ୟଟକଙ୍କ ସହ ସିଧାସଳଖ ଆଲୋଚନା କରି ସୁରକ୍ଷା ସମ୍ପର୍କିତ ସମସ୍ୟା ଓ ଆବଶ୍ୟକତା ବିଷୟରେ ଅବଗତ ହୋଇଥିଲେ। ନିଶା କାରବାର, ଅସାମାଜିକ ଗତିବିଧି,
ଛିନତାଇ ଓ ଅନ୍ୟାନ୍ୟ ଅପରାଧ ଉପରେ ନଜର ରଖିବା ସହ ସନ୍ଦେହଜନକ ଗତିବିଧି ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପର୍ବପର୍ବାଣୀ ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା, ମହିଳା ଓ ଶିଶୁଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନିଶା ବିରୋଧୀ କାର୍ଯ୍ୟକଳାପ ଉପରେ ପୁରୀ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଫୁଟ୍ ପେଟ୍ରୋଲିଂ ମାଧ୍ୟମରେ ପୋଲିସର ଦୃଶ୍ୟମାନ ଉପସ୍ଥିତି ବଢ଼ାଇ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷାର ଭାବନା ସୁଦୃଢ଼ କରାଯାଉଛି ।














