ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ କରାଯାଇଛି । ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ଚମଡ଼ାର ବେଆଇନ କାରବାର ଉପରେ ପୁଣିଥରେ ପ୍ରଶ୍ନ ଉଠିଥିବା ବେଳେ, ଏହା ପଛରେ ଥିବା ଚେର ଖୋଜିବାକୁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବନ ବିଭାଗକୁ ଖବର ମିଳିଥିଲା ।

ଏହାପରେ ଶୁକ୍ରବାର ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗାଁର ଉତ୍ତମ ମାଝୀଙ୍କୁ ସନ୍ଦେହରେ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଦୁଇଟି କଲରାପତରିଆ ଛାଲ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ବନ ବିଭାଗର ସୂଚନା ଅନୁସାରେ, ଜବତ ଛାଲଗୁଡ଼ିକୁ ରାଜ୍ୟ ଭିତରେ ଚାଲାଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ନେଇ ଯାଉଥିବା ଜଣାପଡ଼ିଛି ।

ତେବେ ଉତ୍ତମ ମାଝୀ ନିଜେ କଲରାପତରିଆ ବାଘକୁ ଶିକାର କରିନଥିବା ଏବଂ ଶିକାରୀଙ୍କଠାରୁ ଛାଲ ଆଣି ବିକ୍ରି ପାଇଁ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବିଷୟ ଡିଏଫ୍ଓ କହିଛନ୍ତି । ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଏନେଇ ବାଲିଗୁଡ଼ା ରେଞ୍ଜରେ କେସ୍ ନଂ. ୪୩/୨୦୨୬-୨୭ ରୁଜୁ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ) ଓ ୪୯(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।.

ବାଲିଗୁଡ଼ା ଡି ଏଫ ଓ ଘନଶ୍ୟାମ ମହନ୍ତଙ୍କ ସୂଚନା ଅନୁସାରେ, ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଛାଲ କେଉଁ ଶିକାରୀଙ୍କ ଠାରୁ ଆସିଛି ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା, ସେ ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡି ଏଫ ଓ କହିଛନ୍ତି । ବନ୍ୟଜନ୍ତୁ ଶିକାର ଓ ଛାଲ ଚାଲାଣର ମୂଳ ଚେର ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିବ କି ନାହିଁ, ଏବେ ତାହା ଉପରେ ସମସ୍ତଙ୍କ ନଜର ।














