ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି ।

ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।















