No Result
View All Result
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହିଂସାର ପଥରେ ପଦଯାତ୍ରା ଜାରି
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ସହରବାସୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାମୂଳକ ନୀରବ ସତ୍ୟାଗ୍ରହ ଆଜି ୧୪୫ତମ ଦିନରେ ପହଞ୍ଚିଛି। ଗତ ଉତ୍କଳ ଦିବସଠାରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ପ୍ରତିଦିନ ଏହି ନୀରବ ପଦଯାତ୍ରା ଆରମ୍ଭ ହେଉଛି। ୧୪୫ ଦିନ ଧରି ନୀରବତା ଅବଲମ୍ବନ କରି ସତ୍ୟାଗ୍ରହୀମାନେ ହାତରେ ଦାବିର ପ୍ଲାକାର୍ଡ ଧରି ପଦଯାତ୍ରା କରି ନିଜର ଦାବି ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇଆସୁଛନ୍ତି। ତପ୍ତ ରାସ୍ତା, ବର୍ଷା କିମ୍ବା ପର୍ବପର୍ବାଣୀ—କୌଣସି ପରିସ୍ଥିତିରେ ମଧ୍ୟ ଏହି ପଦଯାତ୍ରାରେ ବିରତି ହୋଇନାହିଁ। ଗତକାଲି ଏହି ଦାବିକୁ ନେଇ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ପୁରୀର ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଆଲୋଚନାରୁ କୌଣସି ସମାଧାନ ବାହାରିନଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ଆଜି ୧୪୫ତମ ଦିନରେ ସାଲବେଗ ପୀଠରୁ ପଦଯାତ୍ରା ଆରମ୍ଭ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲା। ସିଂହଦ୍ୱାରରେ ପହଞ୍ଚିବା ପରେ ସମସ୍ତ ପଦଯାତ୍ରୀ ସତ୍ୟାଗ୍ରହୀ ପତିତପାବନଙ୍କ ଦର୍ଶନ କରି ପୁରୀବାସୀଙ୍କ ଦାବି ପୂରଣ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବିଧା ପୁନଃସ୍ଥାପନ ନିମନ୍ତେ ପ୍ରାର୍ଥନା କରିଥିଲେ। ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ। ସତ୍ୟ ଓ ଅହିଂସାର ମାର୍ଗରେ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ଶାନ୍ତିପୂର୍ଣ୍ଣ ଭାବେ ଜଣାଇବା ହିଁ ଏହି ସତ୍ୟାଗ୍ରହର ଉଦ୍ଦେଶ୍ୟ।

ସତ୍ୟାଗ୍ରହର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୪୫ ଦିନ ଧରି ଆମର ନୀରବ ପଦଯାତ୍ରା ଜାରି ରହିଛି। ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା ବିଫଳ ହୋଇଥିଲେ ମଧ୍ୟ ଆମେ ନିରାଶ ନୁହେଁ। ସତ୍ୟ ଓ ଅହିଂସାର ପଥରେ ଆମର ସଂଘର୍ଷ ଜାରି ରହିବ। ପୁରୀବାସୀଙ୍କ ଭାବନାକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବିଧା ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ପାଦ ଚାଲୁଛି ଅଧିକାର ପାଇଁ, ନୀରବତା କହୁଛି ନ୍ୟାୟ ପାଇଁ, ଆଉ ହୃଦୟ ଅପେକ୍ଷା କରୁଛି ମହାପ୍ରଭୁଙ୍କ ଦର୍ଶନ ପାଇଁ।”
ଆଜିର ପଦଯାତ୍ରାରେ ସର୍ବଶ୍ରୀ ବିଶ୍ଵନାଥ ମିଶ୍ର, ଚକ୍ରଧର ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ଯାଦବାନନ୍ଦ ରାୟ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଅଞ୍ଜୁବାଳା ମହାନ୍ତି, କଣ୍ଢେଇ ପ୍ରଧାନ, ସୋନୁ, ଇଚ୍ଛା ଦାସ, ପ୍ରୀତି ରାଉତ, ବାପିନା ସାମନ୍ତରାୟ, ମମତା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ସାହୁ, ରମେଶ ଚନ୍ଦ୍ର ମହାନ୍ତି ସମେତ ବହୁ ସତ୍ୟାଗ୍ରହୀ ପଦଯାତ୍ରାରେ ସାମିଲ ହୋଇଥିଲେ। ଜୟ ଶ୍ରୀଜଗନ୍ନାଥ ।

No Result
View All Result