ଅଗଷ୍ଟ ୨୭ ସୁଦ୍ଧା ପିଏମ୍ଏୱାଇ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ
ସେପ୍ଟେମ୍ବରରେ ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ଆବାସ ଆବଣ୍ଟନ : କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ, ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାକ୍ଷାତ କରି ଓଡ଼ିଶାରେ ଆବାସ ଓ ଗ୍ରାମୀଣ ବିକାଶ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ସାଂସଦୀୟ ପ୍ରତିନିଧି ଦଳ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ସଚିବ ଶ୍ରୀ ଗିରୀଶ ଏସ୍.ଏନ୍. ଉପସ୍ଥିତ ଥିଲେ ।
ବୈଠକରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ହିତାଧିକାରୀ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ସଦ୍ୟ ସମ୍ପନ୍ନ ସର୍ଭେରେ ପ୍ରାୟ ୩୮ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି ଏବଂ ବର୍ତ୍ତମାନ କ୍ଷେତ୍ରସ୍ତରୀୟ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହି ଯାଞ୍ଚରେ ହିତାଧିକାରୀଙ୍କ ଯୋଗ୍ୟତା ସହ ସେମାନଙ୍କ ଘରର ସ୍ଥିତି ଯାଞ୍ଚ କରାଯାଉଛି ।
ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ଅଗଷ୍ଟ ୨୭ ସୁଦ୍ଧା ଯାଞ୍ଚ ଓ ସ୍କ୍ରୁଟିନି ପ୍ରକ୍ରିୟା ଶେଷ ହେବ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ । ତାଲିକା ପାଇବା ପରେ ସେପ୍ଟେମ୍ବରରେ ଓଡ଼ିଶା ପାଇଁ ପିଏମ୍ଏୱାଇର ପ୍ରଥମ ପର୍ଯ୍ୟାୟର ଆବାସ ଆବଣ୍ଟନ କରାଯିବ । ଏହା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହେବ ।
କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଚୌହାନ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବାସ ସର୍ଭେ ସମ୍ପନ୍ନ କରାଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଯାଞ୍ଚ ପ୍ରକ୍ରିୟା ହାତକୁ ନିଆଯାଇଥିବା ନେଇ ପ୍ରଶଂସା କରିଥିଲେ । ମନ୍ତ୍ରୀ ଶ୍ରୀ ନାଏକ ଯୋଗ୍ୟ ଓ ଆବାସ ଆବଶ୍ୟକ କରୁଥିବା ସମସ୍ତ ପରିବାରଙ୍କୁ ଆବାସ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ।
ବୈଠକରେ ଓଡ଼ିଶାରେ ବିକଶିତ ଭାରତ–ଗ୍ରାମ (VB-GRAM) ଯୋଜନାର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ପଦକ୍ଷେପ ଅଧୀନରେ ଓଡ଼ିଶାରେ ପ୍ରାୟ ୫,୦୦୦ କୋଟି ଟଙ୍କା ବ୍ୟୟ କରାଯିବ । ଏହା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ସହ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଉପଯୋଗୀ ଭିତ୍ତିଭୂମି ଓ ସାମୁଦାୟିକ ସମ୍ପତ୍ତି ସୃଷ୍ଟିକୁ ସହାୟତା ମିଳିବ ।














