ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ଗଞ୍ଜାମ ଜିଲ୍ଲା ବେଲଗାଁ ପୁଲିସ ହିଞ୍ଜିଳିକାଟୁ ତହସିଲ ଅଧିନ ସାହାପୁର ମୌଜା ଲଣ୍ଡା ପାହାଡ଼ରୁ ଶୁକ୍ରବାର ସନ୍ଧ୍ୟା ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବ୍ଳାଷ୍ଟି° ତାର ଜବତ କରିଛି। ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ଗଚ୍ଛିତ ରଖିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବେଲଗାଁ ଥାନା ଧୋବାଡି ଗ୍ରାମର ବଚନ ଦାସ (୩୪) । ଏ ନେଇ ବେଲଗାଁ ଥାନାରେ କେସ ନଂ – ୯୬/୨୬ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି ।

ହିଞ୍ଜିଳିକାଟୁ ତହସିଲ ତଥା ବେଲଗାଁ ଥାନା ଅଞ୍ଚଳର ବିଭିନ୍ନ ପାହାଡରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ପଥର ବ୍ଳାଷ୍ଟି° କରାଯାଉଥିବାନେଇ ପୁର୍ବରୁ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ମାତ୍ର ଏହାକୁ ଆଦୌ ଗୁରୁତ୍ବ ଦିଆ ଯାଉ ନ ଥିଲା। ପରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ୍ ବିସି ଘଟଣାରେ ତତ୍ପରତା ପ୍ରକାଶ କରିଥିଲେ । ବିସ୍ପୋରକ ସାମଗ୍ରୀ ସହାୟତାରେ ବେଆଇନ ଭାବେ ପଥର ବ୍ଳାଷ୍ଟି° କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ସହ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ଗଚ୍ଛିତ ରଖୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ତୀକ୍ଷ୍ମଣ ନଜର ରଖିବା ପାଇଁ ଗଞ୍ଜାମ ଏସପି ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ କୌଣସି ସୂତ୍ରରୁ ଖବର ପାଇ ବେଲଗାଁ ଥାନା ସାହାପୁର ଲଣ୍ଡା ପାହାଡ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପାହାଡର ଏକ ସ୍ବତନ୍ତ୍ର ଗର୍ତ୍ତ ମଧ୍ୟରେ ବେଆଇନ ଭାବେ ପାହାଡର ପଥର ବ୍ଳାଷ୍ଟି° ସକାଶେ ଗଚ୍ଛିତ ରଖାଯାଇଥିବା ୬୨ ବକ୍ସ (୧୨ ହଜାର ୪ ଶହ ଜିଲେଟିନ ଷ୍ଟିକ୍) ଓ ୪୭ କଏଲ ବିଶିଷ୍ଟ ବ୍ଳାଷ୍ଟି° ତାର ଜବତ କରାଯାଇଥିଲା। ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ଗଚ୍ଛିତ ରଖିବା ଅଭିଯୋଗରେ ଧୋବାଡି ଗ୍ରାମର ବଚନ ଦାସଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ଗଚ୍ଛିତ ରଖୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି ।















