No Result
View All Result
ଗୁରୁଗ୍ରାମ (ଓଡିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ (ନି. ପ୍ର) :- ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଦୁଇଦିନିଆ ପବିତ୍ର ପ୍ଳାବନ ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରର ମୁକ୍ତାକାଶ ପ୍ରାଙ୍ଗଣକୁ ଖୁବ୍ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା । ସମଗ୍ର ପରିବେଷ୍ଟନୀ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ଧାରଣ କରିଥିଲା । ଦେଶର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଭାରତୀ ଫାଉଣ୍ଡେସନ ଆନୁକୂଲ୍ୟରେ ‘ଦେଖୋ ଅପ୍ନା ଦେଶ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ଭବ୍ୟ ଉତ୍ସବ ଅବସରରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା ।

ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ପ୍ରାୟ ୧୫,୦୦୦ ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କର ଏଠାରେ ସମାଗମ ଘଟିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ସମାବେଶରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ଅବସ୍ଥାପିତ ପ୍ରାୟ ୧୫୦ଟି ଓଡ଼ିଆ ସଙ୍ଗଠନର କର୍ମକର୍ତ୍ତାଗଣ, ଜଗନ୍ନାଥ ମନ୍ଦିରର ପ୍ରତିନିଧିବୃନ୍ଦ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ତୁଙ୍ଗ ନେତୃମଣ୍ଡଳୀ ଯୋଗ ଦେଇଥିବା ଜଣାଯାଇଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁଗ୍ରାମର ବିଧାୟକ ମୁକେଶ ଶର୍ମା ରଜ ମହୋତ୍ସବକୁ ଉଦଘାଟନ କରିଥିଲେ ।

ଉଭୟ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ରହି ‘ଟାସା ମାଇକ୍ରୋ ଏସ୍ପିଏମ୍’ର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ସେନ, ଗୁରୁଗ୍ରାମର ମେୟର ରାଜରାଣୀ ମାଲହୋତ୍ରା, ଇଚିବାନ୍ କର୍ପୋ ସାଇନ୍ସ ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡ଼ଃ. ନିଖିଲ ଅଗ୍ରୱାଲ, ବିଜେପି ନେତା ଶଙ୍କର ପାଟିଦାର,ରେଶମା ପଟେଲ ଏବଂ କ୍ୟାନ ଉଇନ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଡ଼ି.ପି.ଗୋଏଲ ପ୍ରମୁଖ କଳିଙ୍ଗ ଭାରତୀ ଫାଉଣ୍ଡେସନ ଓ

ଏହାର ପ୍ରତିଷ୍ଠାତା ଜାତୀୟ ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲଙ୍କର ଓଡ଼ିଶା ଏବଂ ହରିୟାଣାର ପ୍ରାଚୀନ ଓ ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ପ୍ରଭାବଶାଳୀ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସଭାରେ ପୌରୋହିତ୍ୟ କରି ଉତ୍ସବର ମୁଖ୍ୟ ଆୟୋଜକ ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଏହି ପର୍ବ ପାଳନର ମୁଖ୍ୟ ଲକ୍ଷ୍ୟ ଆମର ମହାନ ସମାବେଶୀ ସଭ୍ୟତାର ସମନ୍ୱୟ ଏବଂ ସଂହତିକୁ ଉପସ୍ଥାପିତ କରିବା ବୋଲି ଉଲ୍ଲେଖ କରିଥିଲେ।ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ମାନବିକତା,

ଭାତୃତ୍ବଏବଂ ସୌହାର୍ଦ୍ଦ୍ୟତା ଆଧାରରେ ୨୦୪୭ ମସିହାରେ ବିକଶିତ ଭାରତ ଗଠନ ଏବଂ ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ନିର୍ମାଣ ଆମର ଆଭିମୁଖ୍ୟ ବୋଲି ଇଞ୍ଜିନିୟର ଶ୍ରୀ ସାମଲ ସୂଚାଇଥିଲେ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ-ସଭାପତି ଏବଂ ସାଂସଦ ବୈଜୟନ୍ତ ଜୟ ପଣ୍ଡା ରଜ ମହୋତ୍ସବର ସଫଳତା କାମନା କରି ପଠାଇଥିବା ବାର୍ତ୍ତା ପାଠ କରାଯାଇଥିଲା । ଦୁଇ ଦିନିଆ ରଜ ମହୋତ୍ସବର ମୁଖ୍ୟ ଆକର୍ଷଣ ରଜ କଳା ମହୋତ୍ସବ ଶୀର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ଦିଲ୍ଲୀ, ହରିୟାଣା, ଓଡ଼ିଶା, ରାଜସ୍ଥାନ ଓ ପଞ୍ଜାବରୁ ଆସିଥିବା ପ୍ରତିଭା ଓ ପାରଦର୍ଶିତା ସମ୍ପନ୍ନ ୩୦୦ ଜଣ କଳାକାର ସେମାନଙ୍କର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ମହୋତ୍ସବର ଅନ୍ୟାନ୍ୟ ଆକର୍ଷଣ ମଧ୍ୟରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ସନ୍ତୋଷ ରାଉତ, ବବିତା ମିଶ୍ର, ଅଭିପ୍ସା ରଥ ଓ ମଧୁମିତା ମହାପାତ୍ରଙ୍କର ସୁଲଳିତ ଗାୟନ ଅନ୍ତର୍ଭୁକ୍ତ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ମଧୁମିତା ମହାପାତ୍ର ଏବଂ ଉପସ୍ଥାପକ ପ୍ରଳୟ ବାହାଲି ଓ ସୁଜିତ ନନ୍ଦ ପ୍ରମୁଖ ସୁଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ । ରଜ ମହୋତ୍ସବର ବିଶେଷ ସମ୍ଭାର ମଧ୍ୟରେ ୩୦ ଟି ନାନା କିସମର ସାମଗ୍ରୀର ଷ୍ଟଲ, ଖାଣ୍ଟି ଓଡ଼ିଆ ବ୍ୟଞ୍ଜନର ମହଜୁଦି, ରଜ ଦୋଳିର ମଜା ଲୁଟିବାର ସୁଯୋଗ, ସ୍ୱତନ୍ତ୍ର ରଜପାନର ଉପଲବ୍ଧି,

ବିଭିନ୍ନ ପ୍ରକାର ମନୋରଞ୍ଜକ ପ୍ରତିଯୋଗିତା ଯଥା:- ରଙ୍ଗୋଲି, ଝୋଟି, କୌତୁକ ପୋଷାକ, ଓଡ଼ିଆ ଲିପି, ଚିତ୍ରାଙ୍କନ ଏବଂ ଲକି ଡ୍ର ଆଦି ଥିଲା।ଏହି ଉତ୍ସବରେ ମନସ୍ବିନୀ ବସ୍ତିଆଙ୍କୁ ରଜରାଣୀ ଉପାଧିରେ ଭୂଷିତ କରାଯାଇଥିଲା । ରିୟାଂଶି ବେହେରାଙ୍କୁ ରଜ କୁମାରୀ ଭାବରେ ଚୟନ କରାଯାଇଥିଲା । ପ୍ରିୟାଂଶି ନାୟକ ପ୍ରଥମ ରନର ଅପ ଏବଂ ପଲକ୍ଷୀ ବେହେରା ଦ୍ଵିତୀୟ ରନର ଅପ ହୋଇଥିଲେ ।ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ପାଳନକୁ ଦର୍ଶାଯାଇ ନିର୍ମିତ ସେଲ୍ଫି ପଏଣ୍ଟ ଦର୍ଶକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଥିବା ଦେଖା ଯାଇଥିଲା।
ଇଚିବାନ୍ କର୍ପୋ ସାଇନ୍ସ ଲିମିଟେଡ୍କୁ ଏହାର ଉଲ୍ଲେଖନୀୟ ସମାଜ ସେବା କାର୍ଯ୍ୟକ୍ରମ ଦୃଷ୍ଟିରୁ ଶ୍ରେଷ୍ଠ ସିଏସଆର ପୁରସ୍କାର ପ୍ରଦାନ କରାଯାଇଥିଲା । ଅତୁଲ୍ୟ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ ।ବାଲେଶ୍ୱରର ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ତଥା ଗିନିଜ ବୁକ ରେକର୍ଡ ବିଜେତା ଡ଼ଃ ପଙ୍କଜ କୁମାର ଜେନାଙ୍କୁ ସମ୍ମାନସ୍ପଦ କଳିଙ୍ଗ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟାନ୍ୟ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ବିଶାରଦ ଡ଼ଃ ବାଣୀମାଧବ ଏବଂ ଡ଼ଃ ଚନ୍ଦନା ରାଉଳ, ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପୃଷ୍ଟି , ପ୍ରତିଷ୍ଠିତ ମଂଚ ସଂଚାଳକ ପ୍ରଳୟ ବହାଲୀ ଓ ମଧୁମିତା ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
ହରିୟାଣା ରାଜ୍ୟ ସରକାରଙ୍କର ହରିୟାଣା କଳା ପରିଷଦ, ଇଚିବାନ୍ କର୍ପୋ ସାଇନ୍ସ ଲିମିଟେଡ୍ ଓ ଅକ୍ଷୟ ମିତ୍ର ଫାଉଣ୍ଡେସନ ଏହି ସାଂସ୍କୃତିକ ମହାକୁମ୍ଭର ଆୟୋଜନରେ ସହଯୋଗ କରିଥିଲେ । ଅଷ୍ଟମ ରଜ ମହୋତ୍ସବକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ଯେଉଁ ସୁଦକ୍ଷ ସଙ୍ଗଠକ ମଣ୍ଡଳୀ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ, ସେମାନଙ୍କ ମଧ୍ୟରେ ଜାତୀୟ ସଭାପତି ଇଂଜିନିୟର ଅକ୍ଷୟ କୁମାର ସାମଲ, ପୃଷ୍ଠପୋଷକ ନନ୍ଦ ମିଶ୍ର, ଅଶୋକ କୁମାର ସେନ, ପ୍ରଭାସ କୁମାର ମିଶ୍ର,
ଅମରେନ୍ଦ୍ର ଖଟୁଆ, ସଞ୍ଜୀବ ପାଟ୍ଟଜୋଷୀ ଏବଂ ସଦସ୍ୟ ଯଥା : ସଞ୍ଜୟ କୁମାର ଦାସ, ସୁଧାଂଶୁ ପାଢ଼ୀ, ବିଜୟ ମିଶ୍ର, ରବି ନାରାୟଣ ସାହୁ, ଅନିଲ ଜେନା, ସଂଗ୍ରାମ ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ, ସନ୍ତୋଷ ରାଉତ, ଦେବପ୍ରିୟ ପାତ୍ର, ଜାଗୃତି ଦାସ, ସଲିଲ ଦାସ, ଦେବପ୍ରିୟ ଆଚାର୍ଯ୍ୟ, ମନୋରଞ୍ଜନ ରଥ, ଗୋପାଳ ମଲ୍ଲିକ, ଦିଲ୍ଲୀପ ଜିତ, ପ୍ରଳୟ ବାହାଲି, ଯଯାତି ପାଲ, ପ୍ରମୋଦ କୁମାର ସାମଲ, ମହିଳା ଶାଖାର ମୁଖ୍ୟ ତନୁଶ୍ରୀ ପରିଡ଼ା, ବବିତା ମିଶ୍ର, ନିରୂପମା ପାଲ, ମୋନାଲିସା ପାଢ଼ୀ, ଜୟଶ୍ରୀ ଦାସ ଓ ଲିଜା ପାତ୍ର ପ୍ରମୁଖ ସାମିଲ ଥିବା ଜଣାଯାଇଛି ।

No Result
View All Result