ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବିଶ୍ୱ ଐତିହ୍ୟ ଦିବସ ଅବସରରେ ଆଜି ଭୁବନେଶ୍ୱରସ୍ଥ ଓଡିଶା ରାଜ୍ୟ ସଂଗ୍ରହାଳୟରେ ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ୱେଲଫେଆର ପକ୍ଷରୁ ସାହାପେଡ଼ିଆର ସହଯୋଗରେ ଏକ ଆକର୍ଷଣୀୟ “ସଂଗ୍ରହାଳୟ ଭ୍ରମଣ” କାର୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ୧୦ ଘଟିକାରୁ ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ୟକ୍ରମରେ ବିଭିନ୍ନ ସଂସ୍ଥାର ଅଧ୍ୟକ୍ଷ, ଶିକ୍ଷକ, ଗବେଷକ ଓ ପ୍ରତିନିଧିମାନଙ୍କର ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା।

ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସହିତ ଶିକ୍ଷା ଓ ଅନୁସନ୍ଧାନ ଭୁବନେଶ୍ୱର, ସ୍କୁଲ ଫର ଦ ବ୍ଲାଇଣ୍ଡ (IIC, କଟକ) ଓ ନ୍ୟାଶନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲ୍ଡ, ଓଡ଼ିଶା ପ୍ରଯୁକ୍ତି ଓ ଗବେଷଣା ବିଶ୍ୱବିଦ୍ୟାଳୟ ଭଳି ସଂଗଠନମାନଙ୍କର ପ୍ରତିନିଧିମାନେ ଏହି ହେରିଟେଜ୍ ୱାକ୍ରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶ୍ରୀମତୀ ବିଲିତା ସତପଥୀ, ଡ଼ଃ ମନୋଜ ମିଶ୍ର, ତରଣୀସେନ ପଟ୍ଟନାୟକ, ଶିବ ନାରାୟଣ ମହାନ୍ତି ଓ ବିଜୟଲକ୍ଷ୍ମୀ ତ୍ରିପାଠୀ ଭଳି ସଂସ୍କୃତି ସଂରକ୍ଷକ ଓ ଗବେଷକମାନେ ଉପସ୍ଥିତ ରହି କାର୍ୟକ୍ରମକୁ ଗୌରବାନ୍ବିତ କରିଥିଲେ।
ଏହି ଅବସରରେ ସହାୟକ ଶିକ୍ଷୟିତ୍ରୀ ରଶ୍ମି ସିଂହ ମ୍ୟୁଜିୟମ୍ ଅନୁଭବକୁ ଅତ୍ୟନ୍ତ ଆନନ୍ଦଦାୟକ ବୋଲି ବର୍ଣ୍ଣନା କରିଥିବା ସହ ସମାବେଶୀ ସଂସ୍କୃତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସି.ୱାଇ.ଏସ.ଡବ୍ଲ୍ୟୁ ର ସମ୍ପାଦକ ଡଃ ନିତୁରଞ୍ଜନ ଦାଶ ସଂସ୍କୃତି ଓ ଐତିହ୍ୟର ଗୁରୁତ୍ୱକୁ ବ୍ୟାଖ୍ୟା କରି କହିଥିଲେ ଯେ ବିପଦ ଓ ସଂଘର୍ଷ ପରିସ୍ଥିତିରେ ଜୀବନ୍ତ ଐତିହ୍ୟର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ସେ ପୋଥିରେ ସଂରକ୍ଷିତ ଆଦିବାସୀ ଓ ପାରମ୍ପରିକ ଜ୍ଞାନ ପ୍ରଣାଳୀକୁ ଆମ ଅମୂଲ୍ୟ ଐତିହ୍ୟ ଭାବେ ବିବେଚନା କରିଥିଲେ।
୧୯୩୨ ମସିହାରୁ ସ୍ଥାପିତ ଏହି ସଂଗ୍ରହାଳୟ ଆଜି ଡିଜିଟାଲ ପ୍ରଯୁକ୍ତିକୁ ଅପନାଇ ନୂତନ ଆକର୍ଷଣ ଆଣିଛି ଏବଂ ଐତିହ୍ୟକୁ ଆଧୁନିକ ଶୈଳୀରେ ପ୍ରସ୍ତୁତ କରୁଛି। ଏହିପରି ପ୍ରୟାସ ଯୁବ ପିଢିକୁ ସଂସ୍କୃତି ସହ ଯୋଡ଼ିବାରେ ସହାୟକ ହେଉଛି। ଶେଷରେ, ମ୍ୟୁଜିୟମ୍ଗୁଡ଼ିକୁ ବିଶେଷକରି ଦିବ୍ୟାଙ୍ଗମାନଙ୍କ ପାଇଁ ଅଧିକ ସୁଲଭ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ସମସ୍ତେ ଏକମତ ହୋଇଥିଲେ। ଏହି ମ୍ୟୁଜିୟମ୍ ୱାକ୍ କାର୍ୟକ୍ରମ ମାଧ୍ୟମରେ ଐତିହ୍ୟ ପ୍ରତି ସଚେତନତା ବୃଦ୍ଧି ସହ ସମାଜରେ ସଂସ୍କୃତିକ ଏକତାକୁ ଶକ୍ତିଶାଳୀ କରାଯାଇଛି।













