ନବରଙ୍ଗପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ରାଇଘର :- ସମାଜରେ ଅନେକ ଦୁଃଖଭରା କାହାଣୀ ରହିଥିଲେ ମଧ୍ୟ କିଛି କାହାଣୀ ଆମ ମନକୁ ଭିତରୁ ନଡ଼ି ଦେଇଥାଏ। ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ଡଙ୍ଗରିଗୁଡା ଗ୍ରାମରେ। ଜନ୍ମରୁ ଦିବ୍ୟାଙ୍ଗ ଥିବା ଜଗନ୍ନାଥ ସାନ୍ତାଙ୍କର ଦୁଇଟି ହାତ ନଥିବା ସତ୍ତ୍ୱେ ସେ ନିଜ ଗୋଡ଼ର ସାହାଯ୍ୟରେ ଦୈନିକ କାମ—ଖାଇବା, ପିଇବା, ପୋଷାକ ପିନ୍ଧିବା ଓ ଲେଖିବା—ସଫଳତାର ସହିତ କରୁଛନ୍ତି। ତାଙ୍କ ଜୀବନ ସଂଘର୍ଷରେ ଆତ୍ମବିଶ୍ୱାସର ଏକ ଅସାଧାରଣ ଉଦାହରଣ ଦେଖାଯାଏ।

କେବଳ ଏତିକି ନୁହେଁ, ସେ ବିଭିନ୍ନ ନାଟକରେ ପ୍ରଭୁ ଜଗନ୍ନାଥଙ୍କ ଭୂମିକା ନିଭାଇ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଥିଲେ । କିନ୍ତୁ ଆର୍ଥିକ ସମସ୍ୟା ତାଙ୍କୁ ଏହି କ୍ଷେତ୍ର ଛାଡ଼ି କୁଲି ମଜୁରୀ କାମ କରିବାକୁ ବାଧ୍ୟ କରିଛି । ଦୁଇ ବର୍ଷ ପୂର୍ବେ ସେ ପ୍ରେମ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ଦୁଇ ମାସର କନ୍ୟା ସନ୍ତାନ ମଧ୍ୟ ଅଛି । ଏପରି ପରିସ୍ଥିତିରେ ସମଗ୍ର ପରିବାର ଚଳାଇବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।
ବିପର୍ଯ୍ୟସ୍ତ ଅବସ୍ଥା ଏଠିରେ ଶେଷ ହୋଇନାହିଁ। ଆଧାର କାର୍ଡ ନଥିବାରୁ ସେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ। ପୂର୍ବରୁ ମିଳୁଥିବା ୧୦ କିଲୋ ଚାଉଳ ସହାୟତା ମଧ୍ୟ ବନ୍ଦ ହୋଇଯାଇଛି। ବର୍ତ୍ତମାନ ସେ କେବଳ ୧୨ ଶହ ଟଙ୍କା ଭିନ୍ନକ୍ଷମ ଭତ୍ତାରେ ପରିବାର ଚଳାଇବାକୁ ବାଧ୍ୟ, ଯାହା ପରିବାର ପାଇଁ ପର୍ଯ୍ୟାପ୍ତ ନୁହେଁ । ବାରମ୍ବାର ପ୍ରଶାସନଙ୍କ ନିକଟରେ ଘର ପାଇଁ ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁବିଧା ପାଇନାହାନ୍ତି। ଏହାସହିତ ରାସନ କାର୍ଡ ଓ ଅନ୍ୟାନ୍ୟ ସରକାରୀ ସହାୟତା ରୁ ବଞ୍ଚିତ ରହିଛନ୍ତି ।

ଏନେଇ ସ୍ଥାନୀୟ ବିଡିଓ ମନୋଜ କୁମାର ମେହେରଙ୍କୁ ପଚାରିବାରୁ ସେ ଜଗନ୍ନାଥଙ୍କୁ ଶୀଘ୍ର ଆଧାର କାର୍ଡ ଓ ଆବଶ୍ୟକ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆଶ୍ୱାସନ ଦେଇଛନ୍ତି । ଜଗନ୍ନାଥଙ୍କ ଦାବି ଅନୁସାରେ ତାଙ୍କୁ ଗୋଟିଏ ଆବାସ ଗୃହ, ରାସନ କାର୍ଡ ଓ ୩୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ମିଳିଲେ ସେ ଓ ତାଙ୍କ ପାରିବାରିକ ଜୀବନକୁ ସମ୍ମାନର ସହିତ ଚଳାଇ ପାରିବେ । ସରକାର ଓ ପ୍ରଶାସନ କେବେ ଏହି ଦୁର୍ଦ୍ଦଶା ଦେଖି ଜଗନ୍ନାଥଙ୍କୁ ନ୍ୟାୟ ଦେବେ ? ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।














