ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀ (SOP) ଆଧାରରେ ତଥା ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ମାର୍ଚ୍ଚ ୨୫, ୨୦୨୬ ଧାର୍ଯ୍ୟ ଅପରାହ୍ଣ ୧୨.୦୯ ଶୁଭ ମୁହୂର୍ତ୍ତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ (ଚଳନ୍ତି ରତ୍ନ ଭଣ୍ଡାର) ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର କଡା ସୁରକ୍ଷା ତଥା ପବିତ୍ରତା ରକ୍ଷା ପୂର୍ବକ ମାଜିଷ୍ଟେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ଵାର ଖୋଲାଯାଇ ଗଣତି କାର୍ଯ୍ୟ ର ଶୁଭାରମ୍ଭ ହୋଇଯାଇଛି।
ଆଜି ରତ୍ନଭଣ୍ଡାର ଅଳଙ୍କାର ଆଦିର ଗଣତି କାର୍ଯ୍ୟ ପାଇଁ ପ୍ରାଧିକୃତ ସଦସ୍ୟ ମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷଠାରେ ଧାର୍ଯ୍ୟ ସମୟରେ ଉପସ୍ଥିତ ପୂର୍ବକ ରତ୍ନଭଣ୍ଡାର ସମ୍ପର୍କିତ ତଥ୍ୟର ଗୋପନୀୟତା ରକ୍ଷାପାଇଁ ଘୋଷଣାନାମା ଦେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଏବଂ ରତ୍ନଭଣ୍ଡାର ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧ୍ଯକ୍ଷ ଜଷ୍ଟିସ ରଥ ଙ୍କ ନେତୃତ୍ୱରେ ଅଧିକୃତ ବରିଷ୍ଠ ଅଧିକାରୀ ,ଛତିଶା ନିଯୋଗ ନାୟକ,ରତ୍ନଭଣ୍ଡାର ସବ କମିଟି ସେବକ ସଦସ୍ୟ ଏବଂ ସମସ୍ତ ସହଯୋଗୀ ପୂର୍ବାହ୍ନ ଘ. ୧୧.୦୦ ଟିକା ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।
ଶ୍ରୀମନ୍ଦିର ରତ୍ନଭଣ୍ଡାର କୁ ପ୍ରବେଶ ପୂର୍ବରୁ ପ୍ରାଧିକୃତ ସମସ୍ତ ସଦସ୍ୟ ବୃନ୍ଦ ପାରମ୍ପରିକ ପୋଷାକ ପରିଧାନ ପରେ ମୁଖ୍ୟ ପ୍ରଶାସକ ପ୍ରାଧିକୃତ ସଦସ୍ୟ ବୃନ୍ଦଙ୍କୁ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ ପୂର୍ବରୁ କୌଣସି ଧାତବ ଜିନିଷ ନିଜ ପାଖରେ ଥିଲେ ତାହାକୁ ବାହାରେ ରଖିବାକୁ ପୁନଃ ପରାମର୍ଶ ଦେବାସହ ପରମ୍ପରା ମୁତାବକ କାର୍ଯ୍ୟ କରିବାକୁ ସତର୍କ କରାଇଲା ପରେ ସମସ୍ତ ପ୍ରାଧିକୃତ ସଦସ୍ୟ ବୃନ୍ଦଙ୍କୁ ନେଇ ସମସ୍ତ ଗଣତି ପ୍ରକ୍ରିୟା ନିୟମ ପ୍ରକାରେ ଶୃଙ୍ଖଳା ର ସହ ସଂପାଦନ ପାଇଁ ଆଶିଷ ପାଇଁ ମୁଖ୍ୟ ପ୍ରଶାସକ ସମସ୍ତ ସହଯୋଗୀ ସଦସ୍ୟ ବୃନ୍ଦଙ୍କ ସହ ମା’ ବିମଳା ,
ମା ‘ ଭୁବନେଶ୍ୱରୀ ଶେଷରେ ମା ‘ ଲକ୍ଷ୍ମୀ ଠାକୁରାଣୀ ଙ୍କ ଦର୍ଶନ ଆଶିଷ ଆଣିବା ପରେ ବେହେରଣ ଦ୍ଵାର ନିକଟରେ ସୁରକ୍ଷା ଦୃଷ୍ଟିରୁ ସ୍ଥାପିତ ମେଟାଲ ଡିଟେକ୍ଟଟର ଦ୍ଵାର ଯାଞ୍ଚ ପୂର୍ବକ ଗଣତି ପ୍ରକ୍ରିୟାରେ ସାମିଲ ସଦସ୍ୟ ମାନେ ଭିତରକୁ ପ୍ରବେଶ କରିଥିଲେ। ଚଳନ୍ତି ରତ୍ନ ଭଣ୍ଡାର ରୁ ଭଣ୍ଡାର ମେକାପ ଯୋଗାଉଥିବା ଅଳଙ୍କାର ଆଦିର ଆଜିର ଗଣତି ପ୍ରକ୍ରିୟା ରେ ସାମିଲ ବଣିଆ ସଦସ୍ୟ , ଜେମୋଲୋଜିଷ୍ଟ ଏବଂ ଓଜନମାପ ଅଧିକାରୀ ସଦସ୍ୟବୃନ୍ଦ ଙ୍କ ଦ୍ଵାରା ଯାଞ୍ଚ ପୂର୍ବକ ସଠିକ୍ ଢଙ୍ଗରେ ସମସ୍ତ ପ୍ରକ୍ରିୟା ସଂପାଦନ ସହ ସେହି ଗଣତି ଅଳଙ୍କାର ଗୁଡ଼ିକର ଫୋଟୋଗ୍ରାଫି,ଭିଡିଓ ଗ୍ରଫି ସହ E – Catalogue କରାଯାଇଥିଲା।
ଆଜିର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ପରେ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ଵାର ବନ୍ଦ ସହ ମୁଦ ଦିଆ ଯାଇଥିଲା, ଉକ୍ତ ପ୍ରକ୍ରିୟାର ସମସ୍ତ ରେକଡିଂ ଡାଟା ଚିପ. ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିଲା । ସରକାରଙ୍କ ମାର୍ଗଦର୍ଶିକା ପ୍ରକାରେ ସମସ୍ତ ନିୟମ ପାଳନ ପୂର୍ବକ ଆଜିର ଗଣତି ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଥିବାରୁ ସମସ୍ତ ସେବକ, ନିୟୋଜିତ ଅଧିକାରୀ ବ୍ୟକ୍ତି ବେଶେଷ ତଥା ଭକ୍ତ ମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ସାଧୁବାଦ୍ ଜଣାଇଛନ୍ତି ମୁଖ୍ୟ ପ୍ରଶାସକ।













