ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ବ୍ଳକ ଅନ୍ତର୍ଗତ ପିଏମ୍ ଶ୍ରୀ ବି.ସି. ହାଇ ସ୍କୁଲ, ରଣପୁର ଠାରେ ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ “ପ୍ଲାଷ୍ଟିକର ବିକଳ୍ପ ଭାବେ ଉପଯୋଗୀ ବସ୍ତୁ ତିଆରି” ବିଷୟରେ ଶିକ୍ଷକମାନଙ୍କ ପାଇଁ ଏକ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଓ ପଲିଥିନ ଦ୍ୱାରା ସୃଷ୍ଟି ପ୍ରଦୂଷଣ ଏବଂ ଏହାର ମନୁଷ୍ୟ, ପଶୁ ଓ ପରିବେଶ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ସଚେତନତା କରାଯାଇଥିଲା ।

ପ୍ରଶିକ୍ଷକମାନେ ପ୍ଲାଷ୍ଟିକର ବିକଳ୍ପ ଭାବେ କପାସ ବ୍ୟାଗ, ଜୁଟ ବ୍ୟାଗ ଓ କାଗଜ ବ୍ୟାଗ ବ୍ୟବହାର କରିବାକୁ ପ୍ରେରଣା ଦେଇଥିଲେ । ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରାୟୋଗିକ ଭାବରେ ବ୍ୟାଗ ତିଆରି କରିବାର ଶିକ୍ଷା ମଧ୍ୟ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବି.ସି. ହାଇ ସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇଥିଲେ ।















