ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ ଦେଖିବାକୁ ମିଳିଛି। ‘ହର ହର ମହାଦେବ‘ ଏବଂ ଓଁ ନମଃ ଶିବାୟ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି । ମନ୍ଦିର ପରିସରରେ ଭଜନ-କୀର୍ତ୍ତନ ଓ ଧୂପ-ଦୀପର ସୁଗନ୍ଧରେ ପରିବେଶ ପବିତ୍ର ହୋଇଉଠିଛି।

ଅଞ୍ଚଳର ପ୍ରମୁଖ ଶିବମନ୍ଦିର ଯଥା ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦର ଧବଳେଶ୍ୱର ମନ୍ଦିର ଓ ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଟିକାବାଲି ର ଡୁଙ୍ଗି ସ୍ଥିତ ଶୈବ ପୀଠ ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନତମାମ ପୂଜାର୍ଚ୍ଚନା ଓ ଅଭିଷେକ କାର୍ଯ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ। ଏହି ପବିତ୍ର ଅବସରରେ କନ୍ଧମାଳ ଜିଲ୍ଲାକୁ ଆସିଥିବା କିଛି ବିଦେଶୀ ଭକ୍ତମାନେ ମଧ୍ୟ ଶ୍ରଦ୍ଧାର ସହ ଶିବ ଆରାଧନା କରୁଥିବା ଦେଖାଯାଇଥିଲା।















