ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ସଫଳତା ସହିତ ନୀତିମୂଲ୍ୟ, ଶିଷ୍ଟାଚାର ଓ ମନୋବଳରେ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଂପର୍କ” ତରଫରୁ ସରସ୍ଵତୀ ଶିଶୁ ମନ୍ଦିର, ଘୋଡ଼ାବଜାର, ପୁରୀ ପରିସରରେ “ବିଦ୍ୟାର୍ଥୀ ଜାଗରଣ ଅଭିଯାନ” ନାମକ ଏକ ଶିକ୍ଷାମୂଳକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଗୁରୁବାରେ ଆୟୋଜିତ ହୋଇଯାଇଛି।

ଛାତ୍ରଛାତ୍ରୀମାନଙ୍କୁ ନୀତିନିଷ୍ଠ ଓ ସଚେତନ ନାଗରିକ ଭାବେ ଗଢ଼ି ତୋଳିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।କାର୍ଯ୍ୟକ୍ରମର ଆରମ୍ଭରେ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ଡ଼. ଅଭିମନ୍ୟୁ ଭୂୟାଁ କହିଥିଲେ ଯେ, ଆଜିର ଯୁଗରେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ଜ୍ଞାନରେ ସୀମିତ ରହିଲେ ହେବନାହିଁ | ଚରିତ୍ର, ଆଚରଣ, ଶିଷ୍ଟାଚାର ଓ ଆତ୍ମନିୟନ୍ତ୍ରଣ ମଧ୍ୟ ସେମାନଙ୍କ ଜୀବନର ଭିତ୍ତି ହେବା ଆବଶ୍ୟକ।
“ବିଦ୍ୟାର୍ଥୀ ଜାଗରଣ ଅଭିଯାନ” ଭଳି କାର୍ଯ୍ୟକ୍ରମ ଛାତ୍ରମାନଙ୍କୁ ସଠିକ୍ ଦିଗନିର୍ଦ୍ଦେଶ ଦେବା ସହ ମୂଲ୍ୟବୋଧ ଶିଖାଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ଅରବିନ୍ଦ ଶତପଥୀ କହିଥିଲେ ଯେ, ଏପରି ଶିକ୍ଷାମୂଳକ ଅଭିଯାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲକ୍ଷ୍ୟନିଷ୍ଠା, ଅନୁଶାସନ ଓ ଦାୟିତ୍ୱବୋଧ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ।

ସେ “ସଂପର୍କ” ଅନୁଷ୍ଠାନର ସାମାଜିକ କାର୍ଯ୍ୟକଳାପକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରସନ୍ନ ପ୍ରଧାନ କହିଥିଲେ ଯେ, ନିୟମିତ ଅଧ୍ୟୟନ, ଶିକ୍ଷକ ଓ ଅଭିଭାବକଙ୍କ ପ୍ରତି ସମ୍ମାନ, ସକାରାତ୍ମକ ଚିନ୍ତାଧାରା ଓ ସୁସ୍ଥ ଆଚରଣ ହେଉଛି ଛାତ୍ରଜୀବନର ସଫଳତାର ମୂଳମନ୍ତ୍ର। ଏପରି କାର୍ଯ୍ୟକ୍ରମ ଛାତ୍ରମାନଙ୍କୁ ମନୋବଳରେ ଦୃଢ଼ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।
+୨ ର ଅଧ୍ୟକ୍ଷ ଅରବିନ୍ଦ ଦାସ ତାଙ୍କ ବକ୍ତବ୍ୟରେ ଛାତ୍ରଜୀବନରେ ସମୟ ପରିଚାଳନା, ଏକାଗ୍ରତା ଓ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା କହିଥିଲେ ଯେ, ଛାତ୍ରଜୀବନରେ ଶିଷ୍ଟାଚାର, ସଂଯମ, ସତ୍ୟନିଷ୍ଠା ଓ ସେବାଭାବ ଅନୁସରଣ କଲେ ଜୀବନରେ ନିଶ୍ଚିତ ସଫଳତା ମିଳେ।

କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଓ ଛାତ୍ରମିତ୍ର କୈଳାଶ ଚନ୍ଦ୍ର ଗୁପ୍ତା ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନର ବୈଜ୍ଞାନିକ ପ୍ରଣାଳୀ, ସ୍ମୃତି ବିକାଶ, ଏକାଗ୍ରତା, ଯୋଗ–ପ୍ରାଣାୟାମ, ଆତ୍ମନିରୀକ୍ଷଣ ଓ ନୀତିମୂଲ୍ୟ ସହିତ ସମ୍ପର୍କିତ ୨୮ଟି ବିଷୟ ଉପରେ ସରଳ ଓ ବ୍ୟବହାରିକ ଉଦାହରଣ ସହ ଆଲୋଚନା କରିଥିଲେ, ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା। ପିଲାମାନଙ୍କୁ କୌତୁହଳ ଉପାୟରେ ବିଭିନ୍ନ କଥା ବୁଝାଇଥିଲେ ।
କାର୍ଯ୍ୟକ୍ରମର ଆୟୋଜକ “ସଂପର୍କ” ଅନୁଷ୍ଠାନର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଆଜିର ଯୁଗରେ ମୋବାଇଲ୍ ଓ ସୋସିଆଲ୍ ମିଡ଼ିଆର ଅତ୍ୟଧିକ ପ୍ରଭାବ ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୁର୍ବଳ କରୁଥିବାବେଳେ, ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ତାଙ୍କୁ ସଠିକ୍ ପଥ ଦେଖାଇବାରେ ସାହାଯ୍ୟ କରିବ।
“ସଂପର୍କ” ଅନୁଷ୍ଠାନ, ସଦାବେଳେ ଛାତ୍ର, ଯୁବ, ମହିଳା ଓ ସାମାଜିକ ସଚେତନତା ଦିଗରେ କାମ କରିଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଥିଲେ। ଶୁଭ ପ୍ରସାଦ ଶର୍ମା, ବିଶ୍ୱଜିତ୍ ମିଶ୍ର, ଅଶ୍ରୁଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।














