କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୫ ପାଳନ ଅବସରରେ କଟକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ କଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆୟୁକ୍ତ କଟକ ମହାନଗର ନିଗମ ସୁଶ୍ରୀ କିରନ୍ ଦୀପ କୌର ସହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସତ୍ୟ ଓ ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ ବନ୍ୟା, ବାତ୍ୟା, ତଥା ଫନୀ ସମୟରେ ଖୁବ୍ ଧର୍ଯ୍ୟ ଧରିବା ସହ ସେମାନଙ୍କର ଦାୟିତ୍ଵ ନିର୍ବାହ କରି ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ସହ ଭୁଲ ତଥ୍ୟ ଠାରୁ ଦୂରେଇ ରଖି ଥାଆନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଯୋଗ ଦେଇ ଗଣ ମାଧ୍ୟମକୁ ଏକ ଶକ୍ତିଶାଳୀ ସ୍ତରରେ ପରିଣତ କରିବା ପାଇଁ ସର୍ବଦା ଚେଷ୍ଟିତ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ, ସାମ୍ବାଦିକତା, ଓ ଗଣ ଯୋଗାଯୋଗ ବିଭାଗ, ଭାରତୀୟ ଜନ ସଂସ୍ଥାନ, ଢେଙ୍କାନାଳର ଡଃ ମୃଣାଳ କୁମାର ଚାଟାର୍ଜୀ କହିଥିଲେ ଯେ ବିଶ୍ବସନୀୟତା ହେଉଛି, ସାମ୍ବାଦିକତାର ଆତ୍ମା, କୂତ୍ରିମ ମେଧା କେବେ ହେଲେ ମଣିଷ ପଣିଆ ଓ ଭଲପାଇବାର ସ୍ଥାନ ଅଧିକାର କରିପାରିବ ନାହିଁ । ସଠିକ୍ ତଥ୍ୟ ପ୍ରମାଣ ଯାଂଚ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାର ହେଉଛି ସାମ୍ବାଦିକତାର ଗୁରୁତ୍ଵପୂର୍ଣ୍ଣ କାମ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜାତୀୟ ପ୍ରେସ ଦିବସରେ କଟକ ମହାନଗର ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତପନ ମହାନ୍ତିଙ୍କୁ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।














