ବାଲିପାଟଣା/ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇଁ ଲୋଡା ବିଷମୁକ୍ତ ଚାଉଳ । ଏହାର ପ୍ରସ୍ତୁତ ପାଇଁ ପ୍ରଣୀତ ଅମୃତ ଅନ୍ନ ଯୋଜନାରେ ପାରମ୍ପରିକ ଦେଶୀ ଧାନ ଚାଷର ସଫଳ ପ୍ରୟୋଗକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଦୀର୍ଘ ବର୍ଷ ଧରି ଦେଶୀ ଧାନ ଚାଷକୁ ଉତ୍ସାହିତ କରି ଆସୁଥିବା ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ପ୍ରତ୍ୟେକ୍ଷ ତତ୍ୟାବଧାନରେ କଟକ ଜିଲ୍ଲାର ନିଆଳି ଏଵଂ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଅଞ୍ଚଳରେ ଦୁଇ ଶହ ଏକର ଜମିରେ ପ୍ରାକୃତିକ ଦେଶୀ ଚାଷର ପ୍ରୟୋଗ କରାଯାଇ ମହାପ୍ରସାଦ ପାଇଁ ଦେଶୀଚାଉଳ ପ୍ରସ୍ତୁତି ଲାଗି ଅନୁଷ୍ଠାନ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି ।

ଏହି ଦେଶୀ ଧାନ ଚାଷରେ ରାସାୟନିକ ସାର, କୀଟନାଶକ ବିଷ ଔଷଧ ପ୍ରୟୋଗ କରା ନଯାଇ ଧନିଚା ଗଛକୁ ସବୁଜ ସାର,କମ୍ପୋଷ୍ଟ ଖତ, ଗୋବର ଖତର ବ୍ୟବହାର ହେଉଛି । ଏପରିକି ଅନୁଷ୍ଠାନ ସହାୟତାରେ ତାଲିମ୍ ପ୍ରାପ୍ତ ଶ୍ରମିକମାନଙ୍କ ଦ୍ବାରା ପାରମ୍ପରିକ ଢଙ୍ଗରେ ଅଣ୍ଠୁପକାଇ ଅନାବନା ଗଛ ଘାସ ବାଛିବା କାର୍ଯ୍ୟକରାଯିବା ଓ ଧାନିଚା ଗଛକୁ ଧାନ କିଆରି କାଦୁଅ ମାଟିରେ ପୋତି ଧାନ ଗଛକୁ ସବୁଜ ସାର ଯୋଗାଇବା ପକ୍ରିୟା ଚାଲିଛି ବୋଲି ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ନଟବର ଷଡଙ୍ଗୀ କହିଛନ୍ତି ।

ଆଜିକାଲି ଅଧିକ ଅମଳ ଓ ସହଜ ଚାଷ କାର୍ଯ୍ୟ ପାଇଁ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଯାନ୍ତ୍ରିକ ସରଞ୍ଜାମ ଓ ତାଙ୍କର ଜାତୀୟ ଧାନ ବିହନ ସହିତ ରାସାୟନିକ ସାର ତଥା କୀଟ ନାଶକ ଔଷଧ ବିଷର ବ୍ୟାପକ ବ୍ୟବହାର ଚାଲିଛି । ଯାହାକି ମଣିଷର ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ନେଇ ଚିନ୍ତାଶୀଳ ମହଲରେ ଚିନ୍ତାପ୍ରକଟ କରାଯାଉଥିବାବେଳେ ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ରର ଏଭଳି ବିଷମୁକ୍ତ ଚାଉଳ ପ୍ରସ୍ତୁତ ପାଇଁ ଏପରି ସକାରତ୍ମକ ଉଦ୍ୟମକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।















