ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୀପ୍ତି ପ୍ରକାଶ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା,

ଏବିଡ଼ିଓ ତଥା ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ବାଗ, ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ । ଉପଖଣ୍ଡ ଉତ୍ସବ ପାଳନ କମିଟି ର ସହ ସମ୍ପାଦକ ତୀର୍ଥବାସି ଘଡେଇ ବାର୍ଷିକ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ l

ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହର ରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସର ସକାଳ ଘ. ୯. ୧୫ମି. ସମୟରେ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯିବା ସହ ପ୍ୟାରେଡ ପ୍ରତିଯୋଗିତା ର ଅଭିବାଦନ ଗ୍ରହଣ କରିବେ l















