ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ପିଛା ଛାଡୁନି ବିବାଦ । ବିଭିନ୍ନ ସମୟରେ ନାନା ବିବାଦକୁ ନେଇ ଛନ୍ଦି ହୋଇ ରହୁଥିବା ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କତୃପକ୍ଷଙ୍କ , ବେପାରୁଆ ମନୋଭାବ ଓ ଦାୟୀତ୍ୱହୀନତା ଆଜି ପଦାରେ ପଡ଼ିବା ସହିତ ଦାଣ୍ଡରେ ପଡି ହାଟରେ ଗଡୁଛି । ମଙ୍ଗଳବାର ମଧ୍ୟାହ୍ନ ରୁ ୪ଜଣ ୮ମ ଶ୍ରେଣୀ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଥିବା ଘଟଣା ଚର୍ଚ୍ଚା ହୋଇଥିବା ବେଳେ , ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଥିଲା ତନାଘନା । ଘଟଣା ସାମ୍ନାକୁ ନ ଆସିବା ପାଇଁ କତ୍ତୃପକ୍ଷ ଯେନତେନ ଆପ୍ରାଣ ଉଦ୍ୟମ କରିଥିବା ବେଳେ ,୪ ଛାତ୍ରଙ୍କ ଅଭିଭାବକ ପିଲାଙ୍କୁ ସୁରକ୍ଷିତ ଦେଖିବା ପାଇଁ ବିଦ୍ୟାଳୟ ଫାଟକ ସମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜଗିବସିଥିଲେ ।

ପରେ ଘଟଣାକୁ ଚାପି ଦେବାକୁ ଯାଇ ବିଦ୍ୟାଳୟ କତୃପକ୍ଷ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । ଦୀର୍ଘ ୧୦ ଘଣ୍ଟା ପରେ ଅର୍ଥାତ ଗତକାଲି ରାତି ପ୍ରାୟ ୧୧:୩୦ ସମୟରେ ନିଖୋଜ ହୋଇଥିବା ୪ ଛାତ୍ରଙ୍କୁ ବିଦ୍ୟାଳୟ ଠାରୁ ପ୍ରାୟ ୨୦ ରୁ ୨୫ କିଲୋମିଟର ଦୂର ଘୁଗୁଡ଼ିପଡ଼ା ପଂଚାୟତର ଝାଟେକିବେରେଣା ଠାରୁ ବିଦ୍ୟାଳୟ କତୃପକ୍ଷ ଠାବ କରି ବିଦ୍ୟାଳୟକୁ ଆଣିଥିଲେ। ଅନ୍ୟପକ୍ଷେ ଏ ଘଟଣା ଅଭିଭାବକଙ୍କ ପାଖରେ ପହଂଚିବା ପରେ ସେମାନେ ଭୟଭୀତ ହୋଇ ରାତି ଅଧରେ ବିଦ୍ୟାଳୟ ସମ୍ମୁଖରେ ନିଜର ପିଲାଙ୍କୁ ଦେଖିବା ପାଇଁ ଜଗି ବସିଥିଲେ ।















