ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି । ଶନିବାର ଦାରିଙ୍ଗବାଡି ବ୍ଲକ୍ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ବଜ୍ରପାତ ଘଟି ଜୋସେଫ ପ୍ରଧାନଙ୍କ ର ୫ ଟି ଛେଳିଙ୍କ ର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଗତ ୨ ଦିନ ହେଲା ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାର ସୂଚନା ଦିଆଯାଇଥିଲା ।

ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ଅନୁରୋଧ କରାଯାଉଥିଲା । କିନ୍ତୁ ଏବେ ଧାନରୁଆ କାର୍ଯ୍ୟ ଚାଲିଥିବା ସହ ଅଞ୍ଚଳରେ ଉଦ୍ୟାନ କୃଷି କାର୍ଯ୍ୟରେ ବିଭିନ୍ନ ପ୍ରକାର ପନିପରିବା ଚାଷ କାର୍ଯ୍ୟ ଚାଲିଛି । ତେଣୁ ଚାଷୀମାନଙ୍କ ଗୋରୁ, ମଇଁଷି, ଛେଳି ପଲ ମଧ୍ୟ ଜଙ୍ଗଲରେ ଚରାବୁଲା କରୁଥିବାରୁ ଅଘଟଣ ଘଟିଥିବା କୁହାଯାଇଛି । ଏଣୁ ଛେଳି ଚାଷ ଉପରେ ନିର୍ଭର କରୁଥିବା ଜୋସେଫ ଏବେ ଚିନ୍ତାରେ ପଡିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l














