ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ଅନ୍ତର୍ଗତ ଵଣ୍ଡଗୁଡ଼ା ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁ ନ ଥିବାରୁ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କଲେ ବି ରାଜସ୍ୱ ଅଧିକାରୀଙ୍କ ଦେଖା ମିଳୁନାହିଁ । ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଗରୁ ଲୋକେ ସବୁ ସୁବିଧା ପାଉଥିଲେ । କିନ୍ତୁ ଗତ କିଛି ମାସ ହେବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଲୋକେ ସରକାରୀ ସୁବିଧା ପାଇ ପାରୁନଥିବା ଅଭିଯୋଗ ହୋଇଛି ।

ଗୋଟିଏ ପଟେ ଵଣ୍ଡଗୁଡ଼ା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ରହୁଥିବା ବେଳେ ଗ୍ରାମବାସୀଙ୍କ ବିଭିନ୍ନ କାମ ବାବଦକୁ ସମ୍ପୃକ୍ତ ଅଧିକାରୀ ଲୋକଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି । ବାସ୍ତବରେ ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ସେବା କରିବା ପାଇଁ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। କିନ୍ତୁ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଏବେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀଙ୍କୁ ଏଠାରେ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।














