
ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :– କୋଭିଡ-୧୯ ମହାମାରୀର କଠିନ ସମୟ ସହିତ ଓଡ଼ିଶାର ଅନେକ ଗୁଡ଼ିଏ ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଟିଏଚ୍ଆର ବଣ୍ଟନ କରାଯାଇଛି । ଏବେ ବି ଅନେକ ଅଞ୍ଚଳ ଜଳମଗ୍ନ ରହିଛି ଏବଂ ଗାଁ ଗୁଡିକ ପାଣି ଘେରରେ ରହିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀ ମାନଙ୍କ ଘରକୁ ବନ୍ୟାଜଳ ଭିତରେ ଯାଇ ଶୁଖିଲା ରାସନ ବଣ୍ଟନ କରିଛନ୍ତି । ଶୁଖିଲା ରାସନ ବାବଦକୁ ଛତୁଆ, ଚିକି ଲଡୁ, ଅଣ୍ଡା ଆଦି ବଣ୍ଟନ କରାଯାଇଛି । ୩ ରୁ ୬ ବର୍ଷ ବୟସର ଶିଶୁ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଦିଆଯାଉଥିବା ରନ୍ଧା ଖାଦ୍ୟ ବାବଦକୁ ମଧ୍ୟ ଶୁଖିଲା ରାସନ ଘରେ ଯୋଗାଇ ଦିଆଯାଇଛି । ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁ ମାନଙ୍କ ଅତିରିକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମରେ ଆମ ରାଜ୍ୟ ଓଡ଼ିଶାରେ ୪୧ ଲକ୍ଷ ୨୭ ହଜାର ଜଣ ହିତାଧିକାରୀ ଉପକୃତ ହେଉଛନ୍ତି ।

ଗତ ଜୁଲାଇ ମାସରୁ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶିଶୁମାନଙ୍କ ସକାଳ ଜଳଖିଆରେ ମାଣ୍ଡିଆ ଲଡୁକୁ ମଧ୍ୟ ସାମିଲ କରାଯାଇଛି । କୋଭିଡ-୧୯ ପାଇଁ ସଂପ୍ରତି ଅଙ୍ଗନବାଡି କେନ୍ଦ୍ରଗୁଡିକ ବନ୍ଦ ଥିବାରୁ ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ପରିବର୍ତ୍ତେ ସେମାନଙ୍କ ଘରେ ମାଣ୍ଡିଆ ଚୁନା ପ୍ୟାକେଟ୍ ଆକରରେ ବଣ୍ଟନ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଶିଶୁ ମାନଙ୍କୁ ସପ୍ତାହରେ ୪ଟି ଏବଂ କେନ୍ଦୁଝର ଜିଲ୍ଲାରେ ୨ଟି ମାଣ୍ଡିଆ ଲଡୁ ପାଇଁ ନିର୍ଦ୍ଧିଷ୍ଟ ପରିମାଣର ମାଣ୍ଡିଆ ଚୁନା ବଣ୍ଟନ କରାଯାଇଛି । ମା’ମାନଙ୍କୁ ଘରେ ଲଡୁ ତିଆରି କରି ପିଲା ମାନଙ୍କୁ ଖୁଆଇବା ପାଇଁ ପରାମର୍ଶ ଦିଆଯାଇଛି । କୋଭିଡ-୧୯ ପରିସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରଖିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଅଙ୍ଗନବାଡି ବନ୍ଦ ରହିଥିଲେ ମଧ୍ୟ ସମନ୍ୱିତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପାଳଙ୍କୁ ପତ୍ର ଲେଖି ଏହା ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରାଯାଇଛି । ବିଶେଷ କରି ମାସର ୨୩ ତାରିଖରେ କୋଭିଡ ନିୟମାବଳୀ ଅନୁ ପାଳନ ମଧ୍ୟରେ ଛତୁଆ ମିଶ୍ରଣ, କାର୍ଯ୍ୟକ୍ରମ ସମ୍ପାଦନ, ହିତାଧିକାରୀ ମାନଙ୍କ ନିକଟରେ ପ୍ରତି ସପ୍ତାହରେ ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଅଣ୍ଡା ପହଞ୍ଚାଇବା, ସାମ୍ ଏବଂ ମାମ୍ ଶିଶୁମାନଙ୍କୁ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ସମସ୍ତ କାର୍ଯ୍ୟକ୍ରମ ସମୟରେ ମାସ୍କ ପିନ୍ଧିବା, ସାନିଟାଇଜ କରିବା, ହାତ ଧୋଇବା, ଗ୍ଲୋଭସ୍ ଏବଂ ହେଡ୍କ୍ୟାପ୍ ବ୍ୟବହାର କରିବ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।














