ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ବିଦ୍ୟାଳୟ ଉନ୍ନତିକରଣ ସହ ଆଧୁନିକ ସୌନ୍ଦର୍ଯ୍ୟ କାର୍ଯ୍ୟ ସମୟରେ ବିଦ୍ୟାଳୟର ପୁରୁଣା କାଠ ଝରକା, କବାଟ ଓ ଦ୍ୱାରବନ୍ଧ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ନିର୍ମାଣଧିନ କାର୍ଯ୍ୟକୁ ବୁଝାସୁଝା କରୁଥିବା ସମିତିସଭ୍ୟାଙ୍କ ସ୍ୱାମୀ ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ ପୁରୁଣା କାଠ ଝରକ, କବାଟ ଓ ଦ୍ୱାରବନ୍ଧ ବିଦ୍ୟାଳୟ ପରିସରରୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘଟଣା ନେଇ ହିଞ୍ଜିଳିକାଟୁ ବିଡିଓ ଓ ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି ।

ଦୀର୍ଘ ୮ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ହେରଫେର ହୋଇଥିବା ସାମଗ୍ରୀ ବର୍ତ୍ତମାନ ସୁଦ୍ଧା ଫେରିନଥିବା ଜଣାପଡିଛି । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଅଭିଯୋଗ ପ୍ରକାରେ, ଆମ ଓଡିଶା- ନବୀନ ଓଡିଶା ଯୋଜନାରେ ହିଞ୍ଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ସହ ଆଧୁନିକ ସୌନ୍ଦର୍ଯ୍ୟ କାର୍ଯ୍ୟ ସକାଶେ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟାରମ୍ଭ ହୋଇଥିଲା । ପଞ୍ଚାୟତ ସମିତି ଅଧିନସ୍ଥ ଉକ୍ତ କାର୍ଯ୍ୟକୁ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା ।

ସଂପୃକ୍ତ କାର୍ଯ୍ୟକୁ ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀ ମାର୍କଣ୍ଡ ପାଣିଗ୍ରାହୀଙ୍କ ଦାୟିତ୍ୱରେ ଚାଲିଥିବା ବେଳେ ବିଦ୍ୟାଳୟର ୩ଟି ଶ୍ରେଣୀକକ୍ଷରେ ଲାଗିଥିବା ୧୧ଟି ପୁରୁଣା ଝରକା ଓ ୩ଟି କବାଟର ଦ୍ୱାରବନ୍ଧକୁ ବାହାର କରାଯାଇ ନୂତନ କବାଟ ଝରକା ବ୍ୟବହୃତ କରାଯାଇଥିଲା । ବାହାର କରାଯାଇତିବା ପୁରୁଣା କାଠ ସାମଗ୍ରୀକୁ କାର୍ଯ୍ୟଭାର ଦାୟିତ୍ୱରେ ଥିବା ପାଣିଗ୍ରାହୀ ସେଠାରୁ ଏକ ମାଲ ପରିବହନକାରୀ ଅଟୋ ଯୋଗେ ନେଇଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ ହେବା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମକୃଷ୍ଣ ବେହେରା ପାଣିଗ୍ରାହୀଙ୍କୁ ପୁରୁଣା କାଠ ସାମଗ୍ରୀ ଫେରାଇବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ।















