ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ହେବ ବିଶ୍ବସ୍ତରୀୟ ସହର । ଉଡାଜାହାଜରେ ଆସିବେ ବିଦେଶୀ ପର୍ଯ୍ଯଟକ । ଆମେରିକା ଷ୍ଟାଇଲିରେ ନିର୍ମାଣ ହେବ ରାସ୍ତାଘାଟ । ଏହି ପ୍ରଚାର କରି ପୂର୍ବ ସରକାର ଫେଲ ମାରିଥିବା ବେଳେ ଏବର ସରକାର ନୂଆ ରଙ୍ଗୀନ ଆଲୋକ ଦେଖାଉଛନ୍ତି । ଦୀର୍ଘ ୧୦ ବର୍ଷ ତଳୁ ପୁରୀ କୋଣାର୍କ ରାସ୍ତାର ମାଟିଆପଡ଼ା ରେଳ ଧାରଣା ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ସାଂସଦ, ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । କାମ ଆରମ୍ଭ ହେବ ହେବ ବୋଲି ୫ ବର୍ଷ ପଳାଇଲା ।
ଏବେ କାମ ଆରମ୍ଭ ହୋଇ ପ୍ରାୟ ୧୦ଟି ପିଲର ଖୁଣ୍ଟ ଉଠାଯାଇଛି । ଏଆରଏସଏସ କମ୍ପାନୀ ଏହାର ଠିକା ନେଇଥିବା ବେଳେ କାମ ଧିମା ଗତିରେ ଚାଲିଛି । ବ୍ରିଜର ଦୁଇପାର୍ଶ୍ଵ ରାସ୍ତା ଖାଲଖମା ଯୋଗୁ ପର୍ଯ୍ୟଟକ,ତୀର୍ଥଯାତ୍ରୀ ଓ ଅଞ୍ଚଳବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି । ରାସ୍ତାର ଦୁଇପାର୍ଶ୍ଵ ନଳା ଭାଙ୍ଗି ଯିବାରୁ ପ୍ରତିଦିନ ଘରର ମଇଳା ପାଣି ରେଳ ଧାରଣା ନିକଟରେ ଭାସୁଛି । ଏହି ମଇଳା ପାଣିରେ ପାଦ ପକାଇ ଭକ୍ତ ମାନେ ସିଦ୍ଧମହାବୀର ମନ୍ଦିର ଦର୍ଶନରେ ଯାଉଛନ୍ତି ।

ଜାତୀୟ ରାଜପଥ ଯନ୍ତ୍ରୀ ଧର୍ମକୁ ଆଖିଠାର ମାରିବା ପରି ୧୫ ଦିନରେ ଥରେ କାମ ଦେଖି ଯାଉଥିବା ଅଭିଯୋଗ ହେଉଛି । ବ୍ରିଜ ନିର୍ମାଣ ସରଞ୍ଜାମ, ମେସିନ, ଲୁହାଛଡ, ଗୋଡି ସିମେଣ୍ଟ ଠିକ ସମୟରେ ଯୋଗାଉ ନଥିବାରୁ କାମ ଧିମା ଚାଲିଛି ବୋଲି କାର୍ଯ୍ଯରତ ଶ୍ରମିକ ମାନେ କହୁଛନ୍ତି । ଇନ୍ଦ୍ରଦ୍ୟୁମ୍ନ ଦଶତୁଠ ଏଟିଏମ ସମ୍ମୁଖରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଉଠାଯାଇ ନଥିବାରୁ ଚାରି ଚକିଆ ଗାଡି ଯିବାରେ ବାଧା ସୃଷ୍ଟି ହେଉଛି । ପ୍ରତି ୧୦ ମିନିଟରେ ରେଳ ଫାଟକ ପଡୁଥିବାରୁ ଜନତାଙ୍କ ବିରକ୍ତି ଭାବ ବଢିବାରେ ଲାଗିଛି ।
ବ୍ରିଜର ଦୁଇପାର୍ଶ୍ବ ରାସ୍ତା ଗାଡି ଚଳାଚଳ ଉପଯୋଗ୍ଯ କରିବା ନିୟମ ଥିବାବେଳେ କମ୍ପାନୀ ଦି ଗାଡି କସର ଗୁଣ୍ଡ ମିଶା ଚିପସ୍ପ ପକାଇ କାମ ଚଳାଉଛି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଯାନ ଚାଳକ ମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଦୁଇ ତିନୋଟି ଗାଡିର ଚକରେ ଗୋଡି ପଶି ପମ୍ପଚର ହେଉଥିବା ଅଭିଯୋଗ ହେଉଛି । ତ୍ରିଲୋଚନ ସ୍ଲୁଲ ପାଖରେ ଜୈନିକ ବରିଷ୍ଠ ବୁଦ୍ଧିଜୀବୀ ଜନତାଙ୍କ ଇଜ୍ଜତ ଯିବା ପରେ ଓଭରବ୍ରିଜ ର ସୁନାଶାଢୀ ସରକାର ପିନ୍ଧାଇବେ ବୋଲି କହିଥିଲେ। ତୁରନ୍ତ ଏହି ରାସ୍ତା ସମତୁଲ ନକଲେ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଆନ୍ଦୋଳନର ରାସ୍ତା ଧରିବେ ବୋଲି ଚେତାବନି ଦେଇଛନ୍ତି ।












