ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗତକାଲି ବୁଧବାର ପବିତ୍ର ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଥିଲା l ଆଜି ରଥଖଳା ରେ ବିଶ୍ୱକର୍ମା ମହାରଣାମାନେ ପ୍ରଥମଦିନ ରଥ ନିର୍ମାଣ କାମ କରିଛନ୍ତି l ରଥ ନିର୍ମାଣର ଶୁଭାନୁକୂଳ ପରେ, ରଥ ନିର୍ମାଣକାରୀ ସେବକ ମାନେ ଆଜି ସକାଳ ୮ଟା ରେ ରଥ ଖଳା ଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଇଥିଲେ l

ତିନି ରଥର କରତୀ ସେବକ ମାନେ ମୁଖ୍ୟ ମହାରଣା ମାନଙ୍କ ପରାମର୍ଶ କ୍ରମେ ତିନିରଥ ପାଇଁ ଉଦ୍ଦିଷ୍ଟ ଫାଶୀ କାଠକୁ ମାପ ପ୍ରକାରେ ଗଡ କରି ତାଳଧ୍ଵଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳି କୁ ଦୁଇଟି ଲେଖାଏଁ ତୁମ୍ୱ ଗଡକରି ଯୋଗାଇଥିଲେ l ତିନି ରଥର ସୁତାର ମହାରଣା ଗଡ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ତିନି ରଥର ମହାରଣା ସେବକ ମାନେ ବାରିସି ରେ ମର୍ଦଳାକାର ଭାବେ ହାଣି ଗୋଟିଏ ଗୋଟିଏ ତୁମ ନିର୍ମାଣ ଜାରୀ ରଖିଥିଲେ ।

ଏଥିସହ ଆଜି କମାର ସେବକ ମାନେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କଣ୍ଟା ପ୍ରସ୍ତୁତି ନିମନ୍ତେ ଶାଳ ପ୍ରସ୍ତୁତି ଜାରୀ ରଖିଛନ୍ତି । ତିନିରଥ ମହାରଣା ସେବକ -୧୦ ଜଣ, ଭୋଇ ସେବକ ୬ ଜଣ, କରତୀ ସେବକ ୪ ଜଣ,କମାର ସେବକ ୩ ଜଣ,ରଥ ଖଳା ସହାୟକ(ପାଣି ବାଲା) ୧ଜଣ ଏପରି ମୋଟ ୨୪ ଜଣ ରଥଖଳା ରେ କାମ କରିଥିଲେ l
















