No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ରାଜ୍ୟ,ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହାକୁ ଅଧିକ ସଫଳ କରିବା ପାଇଁ ହିଞ୍ଜିଳିକାଟୁ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା କରା ଯାଇଥିଲା। ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ବିଭିନ୍ନ ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରା ଯାଇଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବ୍ଲକ ପ୍ରଶାସନ ଆୟୋଜନ କରିଥିବା ସରକାରୀ କାର୍ଯ୍ୟକ୍ରମ କିନ୍ତୁ ଆଶାନୁରୂପ ସଫଳତା ହାସଲ କରିବାରେ ଅସଫଳ ହୋଇଥିବା ଜଣାପଡ଼ିଛି।
ସଭା ସ୍ଥଳରେ ଆସିକା ଲୋକସଭା ସାଂସଦଙ୍କ ଅସ୍ଥାୟୀ ପ୍ରତିନିଧିଙ୍କ ସମେତ ଶାସକ ଦଳର କିଛି ହାତ ଗଣତି ନେତା ଓ ଜଣେ ଦୁଇଜଣ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । କିନ୍ତୁ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ବ୍ଲକ ପ୍ରତିନିଧି, ବ୍ଲକ ସଭାପତିଙ୍କ ସମେତ ପ୍ରାୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଜାତୀୟ ପଞ୍ଚାୟତିରାଜ ଦିବସକୁ ବର୍ଜ୍ଜନ କରିଥିବା ଜଣାପଡ଼ିଛି। ଏପରିକି ଆଗନ୍ତୁକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଚେୟାରର ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ ଅର୍ଦ୍ଧାଧିକ ଚେୟାର ଫାଙ୍କା ପଡ଼ିଥିବା ପରିଲକ୍ଷିତ ହୋଇଥିଲା।
ପୁର୍ବରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବାଦ ପୁରୁଷ, ବିଶିଷ୍ଟ ଜନନେତା ସ୍ବର୍ଗତ ବିଜୁ ପଟ୍ଟନାୟକ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ କରି ମହିଳା ମାନଙ୍କୁ ରାଜନୈତିକ ଅଧିକାର ଦେଇଥିଲେ । ଫଳ ସ୍ୱରୂପ ବିଗତ ୫ ମାର୍ଚ୍ଚ ୧୯୯୪ ମସିହା ଠାରୁ ଓଡିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଥିଲା। ବିଜୁ ବାବୁଙ୍କ ଏହି ଐତିହାସିକ ପଦକ୍ଷେପକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଗ୍ରହଣ କରିବା ସହ ଗତ ୨୦୧୦ ମସିହାରେ କେନ୍ଦ୍ରର ମନମୋହନ ସିଂ ସରକାର ବାଧ୍ୟ ହୋଇ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ଘୋଷଣା କରିଥିଲେ।
କିନ୍ତୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଦୀର୍ଘ ୩୦ ବର୍ଷ ଧରି ଏପ୍ରିଲ ୫ ତାରିଖରେ ଓଡ଼ିଶାରେ ପାଳନ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ ଅସହିଷ୍ଠୁ ହୋଇ ବାତିଲ କରିଛନ୍ତି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରାୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ମଣ୍ଡଳୀ ଓ ବରିଷ୍ଠ ନେତୃବୃନ୍ଦ ସମୂହ ଜାତୀୟ ପଞ୍ଚାୟତି ରାଜ ଦିବସ କାର୍ଯ୍ୟକ୍ରମକୁ ବର୍ଜ୍ଜନ କରିଥିବା ଜଣାପଡ଼ିଛି।
No Result
View All Result