No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଆଇସିଏଆର୍-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥା (ସିଫା)ର ୩୮ତମ ବାର୍ଷିକ ଉତ୍ସବ କୌଶଲ୍ୟାଗଂଗସ୍ଥିତ ମୁଖ୍ୟାଳୟ ଠାରେ ଆଜି ପାଳିତ ହୋଇଯାଇଛି । ୧୯୮୭ ମସିହା ଆଜିର ଦିନରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁୂ ସିଫା ପ୍ରତିଷ୍ଠା ହୋଇଥିଲା । ଏହି ଉତ୍ସବରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଂଜୟ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଧୁର ଜଳକୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ମହାପାତ୍ର ସିଫାର ୩୮ତମ ବାର୍ଷିକ ଉତ୍ସବ ଅବସରରେ ଅଭିନନ୍ଦନ ଜଣାଇଥିଲେ ।
ଏହି ଅନୁଷ୍ଠାନଟି ଗବେଷଣା, ପ୍ରକାଶନ ଓ ପ୍ୟାଟେଂଟ ହାସଲ କ୍ଷେତ୍ରରେ ପ୍ରମୁଖ ସଫଳତା ହାସଲ କରିବା ସହିତ ଏହାର ଗବେଷଣାଲବ୍ଧ ବ୍ୟବହାରିକ ଜ୍ଞାନକୁ କୃଷକମାନଙ୍କ ନିକଟରେ ପହଂଚାଇବା ପାଇଁ ପ୍ରାଥମିକତା ଦେଇଛି । ସାଧାରଣ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଓ ମହିଳା ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ରାଷ୍ଟ୍ରର ଅଗ୍ରଗତିରେ ସହାୟକ ହେବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ୍ ପ୍ରତାପ ସମ୍ମାନୀତ ଅତିଥିରୂପେ ଯୋଗଦାନ କରିଥିଲେ ।
ପ୍ରାକ୍ତନ କର୍ମଚାରୀଙ୍କୁ ସିଫାଦ୍ୱାରା ସମ୍ମାନୀତ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, କୌଣସି ଅନୁଷ୍ଠାନର ସଫଳତା ବର୍ତମାନ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କାର୍ଯ୍ୟଯୋଗୁ କେବଳ ନୁହେଁ ପରନ୍ତୁ ପ୍ରାକ୍ତନ କର୍ମଚାରୀଙ୍କ କଠୋର ପରିଶ୍ରମ, ସମର୍ପିତ ମନୋଭାବ, ଅଧ୍ୟବସାୟ ଯୋଗୁଁ ସମ୍ଭବ ହୋଇପାରିଛି । ସେମାନଙ୍କର ପରିଶ୍ରମକୁ ପ୍ରଶଂସାକରି ତାଙ୍କୁ କୃତଜ୍ଞତା ଜଣାଇଲେ ବର୍ତମାନ ଏବଂ ଭବିଷ୍ୟତର ପିଢୀମାନେ କାର୍ଯ୍ୟକରିବାକୁ ଉତ୍ସାହିତ ହେବେ ।
ଭାରତୀୟ ଜଳ ପରିଚାଳନା ସଂସ୍ଥାର ନିର୍ଦ୍ଦେଶକ ଡ. ଅର୍ଜମାଦତ ଷଡ଼ଙ୍ଗୀ କହିଥିଲେ ଯେ ବିଶ୍ୱସ୍ତରୀୟ ମାନ୍ୟତା ବଜାୟ ରଖିବା ପାଇଁ ଗବେଷଣା କ୍ଷେତ୍ରରେ ପରିସ୍ପର ମଧ୍ୟରେ ଦୃଢ ସହଯୋଗ ରଖିବା ସହିତ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କଲେ ଆସୁଥିବା ସମସ୍ୟାର ସମାଧାନ ହୋଇପାରିବ । ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଡ. ସୁଜୟ ରକ୍ଷିତ୍ କହିଥିଲେ ଯେ ବାର୍ଷିକ ଉତ୍ସବ ଆତ୍ମ ବିଶ୍ଳେଷଣ, ସ୍ୱମୂଲ୍ୟାଂକନ ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ ।
ପ୍ରାରମ୍ଭରେ ସିଫାର ନିର୍ଦ୍ଦେଶକ ଡ. ପି. କେ. ସାହୁ ଅତିଥିମାନଙ୍କୁ ସ୍ୱାଗତ କରି ବିଗତ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସିଫା ଅର୍ଜନ କରିଥିବା କୃତୀତ୍ୱଗୁଡ଼ିକ ଯଥା ଅତ୍ୟାଧୁନିକ ସ୍ମାର୍ଟ ପୋଖରୀ, ବାୟୋଫ୍ଲକ୍ ମାଛଚାଷ, ପାବ୍ଦା ଓ ଚିଙ୍ଗୁଡ଼ି ପାଇଁ ପୋର୍ଟେବଲ ହାଚେରୀ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରକାଶ କରିଥିଲେ । ଉଚ୍ଚ ମୂଲ୍ୟଯୁକ୍ତ ମାଛ ଯଥା ଏଏଚ୍ଆର୍ ଜୟନ୍ତୀ ରୋହୀ ଓ ସିଫା ଜିଆଇ ସ୍କାମ୍ପିର ଉତ୍ପାଦନର ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ । ଏହା ଏବେ ସମଗ୍ର ଦେଶରେ ବଂଟନ କରାଯାଇପାରିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।
ମାଛରୋଗର ନିୟନ୍ତ୍ରଣ ପାଇଁ ନୂତନ ଭ୍ୟାକ୍ସିନ୍ର ଉଦ୍ଭାବନ ଓ ଏଏମ୍ଆର୍ ସର୍ଭିଲାନ୍ସ ସଂପର୍କରେ ଡ. ସାହୁ ବର୍ଣ୍ଣନା କରିଥିଲେ । ବିଏସ୍ଏଫ୍ ଲାର୍ଭା ଓ ସାମୁଦ୍ରିକ ମାଇକ୍ରୋ ଆଲଗାଲ ତୈଳକୁ ପୋଷଣୀୟ ଖାଦ୍ୟର ଉପାଦାନ ଭାବରେ ବ୍ୟବହାର କରି ସିଫା କୃତୀତ୍ୱ ଅର୍ଜନ କରିଛି ବୋଲି ସେ କହିଥିଲେ । ବିଗତ ବର୍ଷରେ ଜିନୋମ୍ ଏଡିଟିଂ ଲ୍ୟାବ୍ ଓ ସେଂଟ୍ରାଲ ଇନ୍ଷ୍ଟ୍ରୁମେଂଟେସନ୍ ଫାସିଲିଟି ପ୍ରତିଷ୍ଠା କରାଯିବା ସହିତ କୃଷକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଆନ୍ତର୍ଜାତୀୟ ସହଯୋଗୀତା ସୃଷ୍ଟି କରି ପୋଷଣୀୟ ଜଳକୃଷି ପ୍ରତିଷ୍ଠା କରିବା ଦିଗରେ ସାରା ଦେଶରେ ସିଫା ସଫଳତା ହାସଲ କରିଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିମାନେ ୧୪ ଗୋଟି ପୁସ୍ତିକା ଓ ଅମୃତ୍ କାଟ୍ଲା ଭିଡିଓକୁ ଉନ୍ମୋଚନ କରିବା ସହିତ ୨୦୨୪ ମସିହା ପାଇଁ ଏସ୍ ଶୁସିଲାଆମା ବୃତି, ଡ. ଗିରିଶ ଚନ୍ଦ୍ର ଚୌଧୁରୀ ବୃତି ଓ ଡ. ଟି. ଋାମାପ୍ରଭୁ ବୃତି ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ଯୋଗଦେଇଥିଲେ । ଜାତୀୟ ଧାନ ଗବେଷଣା କେନ୍ଦ୍ର, ସିଆଇଡବ୍ଲୁଏ, ସିଟିସିଆର୍ଆଇ, ଓୟୁଏଟି, ଏନ୍ଏଫ୍ଡିବି ର ପ୍ରତିନିଧିମାନଙ୍କ ସହିତ ସିଫାର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ । ଶେଷରେ ଫିସ୍ ଜେନେଟିକ୍ସ ଏଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ଡ. ଜେ. କେ. ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result