No Result
View All Result
ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
୦୫ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି ।
ତେଣୁ ଏହି ପରିବାର ଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି । ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ୱାନ ନେସନ୍ ୱାନ ରେସନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କର ଇ-କେ.ୱାଇ.ସି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result