No Result
View All Result
ଶ୍ରାବଣ ସରିଲା, ବର୍ଷାର ଦେଖାନାହିଁ ମୁଣ୍ଡରେ ହାତଦେଇ ବସିଛନ୍ତି ବେତନଟୀ ବ୍ଲକ ଅଞ୍ଚଳର ଅନ୍ନଦାତା
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ :-> ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଚଳିତ ବର୍ଷ ଧାନ ଚାଷ ହେବାକୁ ନେଇ ଚାଷୀ ବର୍ଗ ଆଶା ବାନ୍ଧି ବସିଥିବା ଥିବା ବେଳେ ନିଅଣ୍ଟିଆ ବର୍ଷା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଶ୍ରାବଣ ଶେଷ ହୋଇ ଭାଦ୍ରବ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ନ ହେବା ଯୋଗୁଁ ଚାଷ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ନଥିବା ଦେଖିବାକୁ ମିଳୁଛି । ଚାଷ ଜମିରେ ବର୍ତ୍ତମାନ ସୁଦ୍ଧା ହଳ କାର୍ଯ୍ୟ ହୋଇ ନଥିବା ବେଳେ ଅନେକ ଚାଷୀ ଆଗକୁ କାଳେ ବର୍ଷା ହେବ ସେଥିପାଇଁ ଶୁଖିଲା ବିଲରେ ଯେନତେନ ପ୍ରକାରେଣ ହଳ କରି ଶୁଖିଲା ବିଲରେ ଧାନ ଗଛ ଲଗାଉଥିବାର ଦେଖାଯାଉଛି ।
ଚାଷ କାର୍ଯ୍ୟରେ ବିଳମ୍ବ ହେଉ ଥିବା ବେଳେ ଉଚିତ ସମୟରେ ଉଚିତ ପରିମାଣରେ ଅମଳ କରି ନପାରିବାର ଆଶଙ୍କାରେ ଥିବା ଅନେକ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଏମିତି କି ରୁଆ ସରିଥିବା ଧାନ କିଆରୀରେ ପାଣି ଟୋପାଏ ନାହିଁ । ବେତନଟୀ ବ୍ଲକ କୃଷି ଅଧିକାରୀଙ୍କ ସୂଚନା ମୁତାବକ ଏବେବି ୫୨୦୫ ହେକ୍ଟର ଜମି ସୁଖିଲା ପଡ଼ିଛି। ବେତନଟୀ ବ୍ଳକରେ ପାଖାପାଖି ମୋଟ ୩୩ ହଜାର ୩୩୬ ଜଣ ଚାଷୀ ଥିବା ବେଳେ ପ୍ରାୟତଃ ୧୦ ପ୍ରତିଶତ ଲୋକ ରବି ଫସଲ କରୁଥିବା ବେଳେ ଅନ୍ୟ ୯୦ ପ୍ରତିଶତ ଚାଷୀ ଖରିଫ ଫସଲ ଉପରେ ନିର୍ଭରଶୀଳ । ମାତ୍ର ଏତେ ସଂଖ୍ୟକ ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ବ୍ଳକରେ ମାତ୍ର ୪୨ ଟି ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି ।
ଯାହାକି ସମୁଦ୍ର ପାଇଁ ଶଙ୍ଖେ ସଦୃଶ । କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମାତ୍ର ୧ ଟଙ୍କା ପ୍ରିମିୟମ ଦେଇ ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନାର ବ୍ୟବସ୍ଥା କରାଇଥିଲେ ମଧ୍ୟ ସମସ୍ତ ଚାଷୀ ଏହାର ସମ୍ପୂର୍ଣ୍ଣ ଲାଭ ପାଉନଥିବାର ବେତନଟୀ ବ୍ଲକ ସମେତ ଜିଲ୍ଲାରେ ଅନେକ ଚାଷୀ ଅଭିଯୋଗ କରନ୍ତି । ଅନେକ ଚାଷୀ ଏହି ବୀମା ଯୋଜନା ରେ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ପୂର୍ବ ଦୁଇ ବର୍ଷ ହେବ କ୍ଷତିଗ୍ରସ୍ତ ହେଉଥିଲେ ବି କିପରି କ୍ଷତିପୂରଣ ପାଇବେ ତାହାର ପ୍ରକ୍ରିୟା ଜଣା ନଥିବା ବେଳେ ସଚେତନତା ଅଭାବରୁ ସେମାନେ ଏହାର ଲାଭ ଉଠାଇ ପାରିନାହାନ୍ତି l ଅନ୍ୟ ପକ୍ଷରେ ଦେବରାଜ ଇନ୍ଦ୍ରଙ୍କ ଭରଷାରେ ଗରିବ ଚାଷୀମାନଙ୍କୁ ଛାଡ଼ି ନଦେଇ ଅଧିକରୁ ଅଧିକ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ସହ ବିନା ଶୁଳ୍କରେ ବିଦ୍ୟୁତ୍ ସଂଯୋଗ ଦିଆଗଲେ ସୃଷ୍ଟିର ପ୍ରକୋପ ଯୋଗୁଁ ଅନ୍ନଦାତାଙ୍କୁ ବିନାଶ ମୁହଁରୁ ଉଦ୍ଧାର କରାଯାଇ ପାରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଚାଲିଛି ।
No Result
View All Result