୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କର୍ମ କ୍ଷେତ୍ରରେ ମହିଳା କର୍ମଚାରୀ ଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ କର୍ମ କ୍ଷେତ୍ରରେ ଉପଯୁକ୍ତ ସମ୍ମାନ ର ସହ ମହିଳା ମାନେ କାର୍ଯ୍ୟ ନିର୍ବାହ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ ସତକୁ ଲୁଚାଇବାନି କିମ୍ବା ମିଛକୁ ପ୍ରଶୟ ନ ଦେଇ କୌଣସି କ୍ଷେତ୍ରରେ ଘଟଣାର ଶୀକାର ହେଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରତ୍ୟେକ ବିଭାଗ ରେ ମହିଳା ନିର୍ଯ୍ୟାତନା ରୋକିବା ସମ୍ପର୍କରେ ଇଣ୍ଟରନାଲ କମ୍ପ୍ଲେନ କମିଟି ବା ଆନ୍ତଃ ଅଭିଯୋଗ କମିଟି କାର୍ଯ୍ୟ କରୁଛି ।

ସେହିପରି ବ୍ଲକ ଓ ଜିଲ୍ଲା ସ୍ତରରେ ମଧ୍ୟ ଆନ୍ତଃ ଅଭିଯୋଗ କମିଟି ଓ ଲୋକାଲ ଅଭିଯୋଗ କମିଟି କାର୍ଯ୍ୟ କରୁଛି ଯାହା ତୁରନ୍ତ ନ୍ୟାୟ ପ୍ରଦାନ ରେ ସହାୟକ ହୋଇଥାଏ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ପରିବାର କଲ୍ୟାଣ ଏଡିଏମଓ ଡା ଚନ୍ଦ୍ରକାନ୍ତି ନାୟକ ଯୋଗ ଦେଇ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ସ୍ଥିତି, ସେମାନଙ୍କ ଦାୟିତ୍ୱ, ଆଇନ ର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ବିଷୟ ବିଶାରଦ ବା ରିସୋର୍ସ ପର୍ସନ ଭାବେ ବରିଷ୍ଠ ଆଇନଜିବୀ ମୋହନ ସୁନ୍ଦର ଜେନା, ରଚିତା ରାଉତରାୟ, ଶ୍ରାବଣୀ ଦାସ ,ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ଅଫିସର ସନ୍ତୋଷ କୁମାର ସାହୁ ବିସ୍ତୃତ ଆଲୋଚନା କରି ୧୯୯୭ ମସିହାରେ ବିଶାଖା ଗାଇଡ ଲାଇନ ଅନୁସାରେ ମହିଳା ଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ଏହି ଆଇନ ପ୍ରଣୟନ ହୋଇ ଥିବା ବେଳେ ୨୦୧୩ରୁ ଏହା ସମଗ୍ର ଦେଶରେ କାର୍ଯ୍ୟ କାରୀ ହୋଇ ଆସୁଛି ।















